ପୁରୀ: ଶ୍ରୀଜୀଉଙ୍କ ଦର୍ଶନ ପାଇଁ ପ୍ରବଳ ଭକ୍ତଙ୍କ ସମାଗମ କାରଣରୁ ଶରଧାବାଲିରେ ହୋଇଥିବା ଦଳାଚକଟା ଘଟଣାରେ ତଦନ୍ତ ଆରମ୍ଭ ହୋଇଛି । ଉନ୍ନୟନ କମିଶନର ଅନୁ ଗର୍ଗଙ୍କୁ ପ୍ରଶାସନିକ ତଦନ୍ତ ପାଇଁ ଦାୟିତ୍ୱ ପ୍ରଦାନ କରାଯାଇଛି । ଗତକାଲି ତଦନ୍ତର ପ୍ରଥମ ଦିନରେ ଭୁବନେଶ୍ବର ସ୍ଥିତ ରାଜ୍ୟ ଅତିଥି ଭବନ-ଆନେକ୍ସରେ ଦଳାଚକଟା ଘଟଣାର ପ୍ରଥମ ସାକ୍ଷ୍ୟ ଗ୍ରହଣ କରିଥିଲେ ଅନୁ ଗର୍ଗ । ପ୍ରଥମ ଦିନ ୧୭ ଜଣ ପ୍ରତ୍ୟକ୍ଷଦର୍ଶୀ ସାକ୍ଷ ପ୍ରଦାନ କରିବା ସହିତ ଘଟଣା ସଂପର୍କରେ କହିଥିଲେ ।
ଆଜି ତଦନ୍ତର ଦ୍ୱିତୀୟ ଦିନରେ ଉନ୍ନୟନ କମିଶନର ଅନୁ ଗର୍ଗ ପୁରୀର ସ୍ବତନ୍ତ୍ର ସର୍କିଟ ହାଉସଠାରେ ଅପରାହ୍ଣ ୩ଟା ଠାରୁ ଜନସାଧାରଣଙ୍କ ସାକ୍ଷାତ କରି ତଥ୍ୟ ରଖିବେ । ସମସ୍ତ ପ୍ରତ୍ୟକ୍ଷଦର୍ଶୀଙ୍କ ସାକ୍ଷ୍ୟ, ତଥ୍ୟ ଓ ବୟାନକୁ ରେକର୍ଡ କରାଯାଇ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ।
ସୂଚନା ଯୋଗ୍ୟ ଯେ, ଗତ ଜୁନ୍ ୨୯ ତାରିଖରେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟ ଶରଧାବାଲିରେ ବଡ ଅଘଟଣ ଘଟିଥିଲା । ଠେଲାପେଲାରେ ଦଳାଚକଟା କାରଣରୁ ୩ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିଲା । ଏହି ଅଘଟଣ ସବୁ ମହଲରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହି ଘଟଣା ଘଟିବା ପରେ ରାଜ୍ୟସରକାର ତୁରନ୍ତ ଆକ୍ସନ ନେଇଥିଲେ । ପୁରୀ ଜିଲ୍ଲାପାଳ ଓ ଏସପିଙ୍କୁ ବଦଳି କରାଇଥିଲେ । ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଥିଲେ ।