ନୂଆଦିଲ୍ଲୀ: ବିହାରରେ ଭୋଟର ତାଲିକା ଭେରିଫିକେସନକୁ ନେଇ ସୁପ୍ରିମକୋର୍ଟରେ ଗୁରୁବାର ଗୁରୁତ୍ୱପୂର୍ଣ୍ଣ ଶୁଣାଣି ଚାଲିଛି । ଏହି ମାମଲାକୁ ନେଇ ସଡକଠୁ ନେଇ ଅଦାଲତ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିଛି । କଂଗ୍ରେସ, ଆରଜେଡି ସମେତ ଇଣ୍ଡିଆ ମେଣ୍ଟର ୯ ପାର୍ଟି ଭୋଟର ତାଲିକା ଭେରିଫିକେସନ ପ୍ରକ୍ରିୟା ଉପରେ ତୁରନ୍ତ ରୋକ୍ ଲଗାଇବାକୁ ଦାବି କରିଛନ୍ତି । ଅନ୍ୟପଟେ ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟ ଯାଚିକା ଦାୟର କରି କହିଛନ୍ତି ଯେ, କେବଳ ଭାରତୀୟ ନାଗରିକଙ୍କୁ ଭୋଟ୍ ଦେବାର ଅଧିକାର ମିଳିବା ଉଚିତ୍ । ଏହି ପ୍ରସଙ୍ଗକୁ ନେଇ ବିହାରରେ ବିରୋଧୀ ଦଳ ଜୋରଦାର ବିରୋଧ ପ୍ରଦର୍ଶନ କରୁଛି ।
ସୁପ୍ରିମକୋର୍ଟର ବିଚାରପତି ସୁଧାଂଶୁ ଧୁଲିଆ ଓ ଜଷ୍ଟିସ ଜୟମାଲ୍ୟା ବାଗଚୀଙ୍କ ପୀଠ ଏହି ମାମଲାର ଶୁଣାଣି କରୁଛନ୍ତି । ଇଣ୍ଡିଆ ମେଣ୍ଟର ପାର୍ଟି କଂଗ୍ରେସ, ଟିଏମସି, ଆରଜେଡି, ସିପିଏମ, ଏନସିପି(ଶରଦ ଗୋଷ୍ଠୀ), ସିପିଆଇ, ସମାଜବାଦୀ ପାର୍ଟି, ଶିବସେନା(ୟୁବିଟି) ଓ ଜେଏମଏମ ଯାଚିକା ଦାୟର ଭୋଟର ତାଲିକା ଫେରିକିକେସନ ଉପରେ ପ୍ରଶ୍ନ ଉଠାଇଛନ୍ତି । ଏହା ବ୍ୟତୀତ ଦୁଇ ସାମାଜିକ କର୍ମୀ ଅରଶଦ ଅଜମଲ ଓ ରୂପେଶ କୁମାର ମଧ୍ୟ ଭେରିଫିକେସନ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରିଛନ୍ତି ।
ନିର୍ବାଚନ ଆୟୋଗ ସ୍ପଷ୍ଟ କରିଛନ୍ତି ଯେ, ଭୋଟର ତାଲିକାରେ କେବଳ ସେହି ନାଁ ରହିବ ଯିଏ ଯୋଗ୍ୟ । ମୁଖୀ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି ୨୦୦୩ ପରଠୁ ଭୋଟର ତାଲିକାରେ ବଡ ଧରଣର ଯାଞ୍ଚ ହୋଇ ନାହିଁ । ପୂରା ଯାଞ୍ଚ ପରେ କେବଳ ଯୋଗ୍ୟ ଭାରତୀୟ ନାଗରିକ ଭୋଟର ତାଲିକାରେ ରହିବେ । ଆୟୋଗ ଦେଶର ପ୍ରତିିଟି ରାଜ୍ୟରେ ଘର ଘର ଯାଇ ଯାଞ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯଦ୍ୱାରା ଅଣ ଭାରତୀୟଙ୍କ ନାଁକୁ ତାଲିକାରୁ ହଟାଯାଇ ପାରିବ । ଆୟୋଗର ସୂତ୍ର ଅନୁଯାୟୀ, ବିହାର ପରେ ଆସାମ, ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ ଓ ପୁଡୁଚେରୀରେ ଭୋଟର ତାଲିକା ଭେରିଫିକେସନ କରାଯିବ । ଏହି ସବୁ ରାଜ୍ୟରେ ୨୦୨୬ରେ ନିର୍ବାଚନ ହେବାକୁ ଯାଉଛି । ଏହା ପରେ ୨୦୨୯ ସୁଦ୍ଧା ଉତ୍ତର ପ୍ରଦେଶ, ଗୁଜରାଟ, ପଞ୍ଜାବ, ହିମାଚଳ ପ୍ରଦେଶ, ଗୋଆ ଓ ମଣିପୁରରେ ମଧ୍ୟ ଭୋଟର ତାଲିକା ଯାଞ୍ଚ କରାଯିବ ।
ଏହା ଉପରେ ସୁପ୍ରିମକୋର୍ଟ କହିଛନ୍ତି ଯେ ପ୍ରଥମେ ଆବେଦନକାରୀଙ୍କ ଯୁକ୍ତି ଶୁଣାଯିବ ଏବଂ ସାଧାରଣ ଆଇନଗତ ପ୍ରଶ୍ନ ଉପରେ ବିଚାର କରାଯିବ। ନିର୍ବାଚନ କମିଶନଙ୍କ ପକ୍ଷରୁ ପୂର୍ବତନ ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଳ ଯୁକ୍ତି ଉପସ୍ଥାପନ କରୁଥିବା ବେଳେ ଗୋପାଳ ଶଙ୍କରନାରାୟଣନ ଏବଂ କପିଲ ସିବଲଙ୍କ ଭଳି ବରିଷ୍ଠ ଆଇନଜୀବୀ ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରୁଛନ୍ତି।
କପିଲ ସିବଲ କହିଛନ୍ତି ଯେ ଭୋଟର ତାଲିକାରୁ କାହାକୁ ବାଦ ଦେବା ପୂର୍ବରୁ, କମିଶନକୁ ପ୍ରମାଣ କରିବାକୁ ପଡିବ ଯେ ସେହି ବ୍ୟକ୍ତି ନାଗରିକ ନୁହଁନ୍ତି। ସେ କହିଛନ୍ତି ଯେ ବହୁତ କମ୍ ଲୋକଙ୍କ ପାଖରେ ପାସପୋର୍ଟ (୨.୫%), ମାଟ୍ରିକ ପ୍ରମାଣପତ୍ର (୧୪.୭୧%), ବାସସ୍ଥାନ ପ୍ରମାଣପତ୍ର କିମ୍ବା ଅନ୍ୟାନ୍ୟ କାଗଜପତ୍ର ଅଛି। ଆଧାର, ଜନ୍ମ ପ୍ରମାଣପତ୍ର ଏବଂ ମନରେଗା କାର୍ଡକୁ ମଧ୍ୟ ଏହି ପ୍ରକ୍ରିୟାରେ ସାମିଲ କରାଯାଇ ନାହିଁ।
ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭି କହିଛନ୍ତି ଯେ ଜଣେ ଯୋଗ୍ୟ ଭୋଟରଙ୍କୁ ମଧ୍ୟ ଭୋଟ ଦେବାର ଅଧିକାରରୁ ବଞ୍ଚିତ କରିବା ଗଣତନ୍ତ୍ରର ନୀତି ଏବଂ ସମାନ ସୁଯୋଗର ବିରୋଧୀ। ସୁପ୍ରିମକୋର୍ଟ ଏଥିରେ ସହମତ ହୋଇଛନ୍ତି ଏବଂ କହିଛନ୍ତି ଯେ ଏହା ଏହି ମାମଲାରେ ଆବେଦନକାରୀଙ୍କ ସହିତ ଅଛି।