ଇନ୍ଦୋର: ମଧ୍ୟ ପ୍ରଦେଶ ରାଜଧାନୀ ଭୋପାଳର ଚର୍ଚ୍ଚିତ ୯୦ ଡିଗ୍ରୀ ବ୍ରିଜ ମାମଲା ଥଣ୍ଡା ନ ପଡୁଣୁ ବାଜି ମାରି ନେଇଛି ଇନ୍ଦୋର । ହଁ ଆଜ୍ଞା । ଅଜବ ପୋଲ ନିର୍ମାଣରେ ଇନ୍ଦୋର ଭୋପାଳଠୁ ଦୁଇ ପାଦ ଆଗକୁ ଯାଇ ଗଜବ ପୋଲ ନିର୍ମାଣ କରିଛି । ସହରର ପୋଲୋ ଗ୍ରାଉଣ୍ଡରେ ନିର୍ମାଣଧୀନ ରେଲେଓ ଓଭରବ୍ରିଜ ଯାହା ଇଂରାଜୀ ଅକ୍ଷର ଜେଡ୍ ପରି ରହିଛି । ଏବେ ଏହା ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ବ୍ରିଜରେ ଦୁଇ ଦୁଇଟି ୯୦ ଡିଗ୍ରୀର କୋଣ ରହିଛି । ଅର୍ଥାତ ଇନ୍ଦୋର ଏହି ମାମଲାରେ ଭୋପାଳକୁ ଟପି ଯାଇଛି ।
ଇନ୍ଦୋରର ପୋଲୋ ଗ୍ରାଉଣ୍ଡରେ ନିର୍ମାଣଧୀନ ରେଲେଓ ଓଭରବ୍ରିଜ ନିଜର ଅଭିନବ ଡିଜାଇନକୁ ନେଇ ଚର୍ଚ୍ଚାରେ ରହିଛି । ଏହି ବ୍ରିଜରେ ୯୦ ଡିଗ୍ରୀର ଦୁଇଟି ବାଙ୍କ ରହିଛି, ଯାହା ଜେଡ ଆକାର ରହିଛି । ଏହି ଡିଜାଇନ ଦେଖି ଇଞ୍ଜିନିୟରିଂର ଚମତ୍କାର ବୋଲି କୁହାଯାଉଛି । ଦୁଇ ଦୁଇଟି ୯୦ ଡିଗ୍ରୀର ମୋଡ ଦେଖି ଲୋକେ ମୁଣ୍ଡରେ ହାତ ଦେଉଛନ୍ତି ।
ଭୋପାଳର ଏସବାଗ ୯୦ ଡିଗ୍ରୀ ବ୍ରିଜ ପ୍ରଥମରୁ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇ ସାରିଥିଲା । ମାତ୍ର ଇନ୍ଦୋର ଦୁଇ ପାଦ ଆଗକୁ ଯାଇ ଜେଡ ଆକାରର ବ୍ରିଜ ନିର୍ମାଣ କରି ସଭିଙ୍କୁ ଚକିତ କରିଛି । ପବ୍ଲିକ ୱର୍କ୍ସ ଡିପାପର୍ଟମେଣ୍ଟ(ପିଡବ୍ଲ୍ୟୁଡି) ଅର୍ଥାତ ଲୋକ ନିର୍ମାଣ ବିଭାଗର ତତ୍ୱାବଧାନରେ ଏହି ପୋଲର ନିର୍ମାଣ କରାଯାଉଛି । ଯେମିତି ଏହି ଅଜବ ବ୍ରିଜ ଚର୍ଚ୍ଚାକୁ ଆସିଲା, ପିଡବ୍ଲ୍ୟୁଡି ସଫେଇ ଦେଉଛି ଯେ, ଡିଜାଇନରେ ସଂଶୋଧନ ଉପରେ ବିଚାର କରାଯାଉଛି । ବିଭାଗର କହିବା କଥା ଏହି ବ୍ରିଜ ରେଲେଓ ଲାଇନକୁ ପାର କରିବା ପାଇଁ ନିର୍ମାଣ କରାଯାଉଛି । ଜାଗା ଅଭାବ କାରଣରୁ ଏମିତି ଡିଜାଇନ କରାଯାଇଛି ।