ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଶଶି ଥରୁର ୧୯୭୫ରେ ଦେଶରେ ଲାଗୁ ଜରୁରୀକାଳୀନ ଉପରେ ପ୍ରଶ୍ନ ଉଠାଇଛନ୍ତି । ନିକଟରେ ନିଜର ଏକ ଲେଖାରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଦିବଙ୍ଗତ ଇନ୍ଦିରା ଗାନ୍ଧୀଙ୍କ ପୁତ୍ର ସଞ୍ଜୟ ଗାନ୍ଧୀଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି । ଥରୁର କହିଛନ୍ତି, ଗଣତନ୍ତ୍ର ହାଲୁକାରେ ନେବା ପରି ଜିନିଷ ନୁହେଁ ।
ଉାଲାୟଲମ ଦୈନିକ ଖବରକାଗଜ ‘ଦୀପିକା’ରେ ଗୁରୁବାର ଜରୁରୀକାଳୀନ ଉପରେ ପ୍ରକାଶିତ ଏକ ଲେଖାରେ ଥରୁର ୧୯୭୫ ଜୁନ ୨୫ରୁ ୧୯୭୭ ମାର୍ଚ୍ଚ ୨୧ ମଧ୍ୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଘୋଷିତ ଜରୁରୀକାଳୀନର କଳା ସମୟକୁ ମନେ ପକାଇ କହିଛନ୍ତି, ଅନୁଶାସନ ଓ ବ୍ୟବସ୍ଥାକୁ କ୍ରୁରତାପୂର୍ଣ୍ଣ ଭାବେ ଦଳିମକଚି ଦେବା ଓ ଏମରଜେନ୍ସିକୁ କଦାପି ଉଚିତ୍ ଦର୍ଶାଯାଇ ପାରିବ ନାହିଁ । ସେହି ସମୟରେ ଇନ୍ଦିରା ଗାନ୍ଧୀଙ୍କ ପୁଅ ସଞ୍ଜୟ ଗାନ୍ଧୀ ବଳପୂର୍ବକ ଲୋକଙ୍କ ବନ୍ଧ୍ୟାକରଣ ଅଭିଯାନ ଚଲାଇଥିଲେ । ପଛୁଆ ଗ୍ରାମାଞ୍ଚଳରେ ନିଜର ଲକ୍ଷ୍ୟକୁ ପୂରା କରିବା ପାଇଁ ହିଂସା ଓ ଶକ୍ତିର ପ୍ରୟୋଗ କରାଗଲା । ନୂଆଦିଲ୍ଲୀ ପରି ସହରର ଚାଳଛପର ଘରକୁ ଧ୍ୱସ୍ତ କରି ହଜାର ହଜାର ଲୋକଙ୍କୁ ବାସହୀନ କରି ଦିଆଗଲା । ସେମାନଙ୍କ କଲ୍ୟାଣ ପାଇଁ କୌଣସି ଧ୍ୟାନ ଦିଆଗଲା ନାହିଁ ।
ଥରୁରଙ୍କ ଅନୁସାରେ ଆଜିର ଭାରତ ୧୯୭୫ର ଭାରତ ନୁହେଁ । ଆମେ ଆଜି ଅଧିକ ଆତ୍ମ ବିଶ୍ୱାସୀ, ଅଧିକ ବିକଶିତ ଓ ଅନେକ ଦୃଷ୍ଟିରୁ ଅଧିକ ଶକ୍ତିଶାଳୀ ଗଣତନ୍ତ୍ର ଦେଶ । ତଥାପି ଜରୁରୀକାଳୀନ ସ୍ଥିତି ଆଜି ବି ଦେଶରେ ପ୍ରାସଙ୍ଗିକ ହୋଇ ରହିଛି । ଥରୁର ସତର୍କ କରାଇଛନ୍ତି ଯେ, ଅସହମତିକୁ ଦବାଇବା ଓ ସମ୍ବିଧାନର ନିୟମକୁ ଅଣଦେଖା କରି କାର୍ଯ୍ୟ କରିବା ପୁଣି ଥରେ ଦେଖିବାକୁ ମିଳିପାର । ଏମିତି କାର୍ଯ୍ୟକୁ ରାଷ୍ଟ୍ରୀୟ ହିତ କିମ୍ବା ସ୍ଥିରତା ନାଁରେ ଉଚିତ୍ ଦର୍ଶାଯାଇପାରେ । ଏହି ଦୃଷ୍ଟିରୁ ଜରୁରୀକାଳୀନ ଏକ କଡା ଚେତାବନୀ । ଗଣତନ୍ତ୍ରର ପ୍ରହରୀଙ୍କୁ ସର୍ବଦା ସତର୍କ ରହିବା ଉଚିତ୍ ବୋଲି ଥରୁର କହିଛନ୍ତି ।