ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସାଧାରଣ ସଭାରେ ଯୋଗ ଦେଇଛନ୍ତି । ଏହି ଅବସରରେ ସେ ସାଧାରଣ ଜନତାଙ୍କୁ ସମ୍ବୋଧନ କରିଛନ୍ତି । ଦିଲ୍ଲୀରେ ଆୟୋଜିତ ହୋଇଥିବା ଓଡ଼ିଶା ପର୍ବ, କନ୍ଧମାଳର ଚା ଓ କଟକ ଐତିହାସିକ ବାଲିଯାତ୍ରାକୁ ପ୍ରଶଂସା କରିଛନ୍ତି ମୋଦୀ । ଏହା ସହିତ ବିରୋଧୀ କଂଗ୍ରେସର ନାଁ ନ ଧରି ତେରଚ୍ଛା ବାଣ ମାରିଛନ୍ତି ମୋଦୀ ।
ମୋଦୀ କହିଛନ୍ତି, ଆଜି ମୋତେ ବାବା ଲିଙ୍ଗରାଜଙ୍କ କ୍ଷେତ୍ରକୁ ଆସିବାକୁ ସୁଯୋଗ ମିଳିଛି । ବିମାନବନ୍ଦରରେ ଏତେ ସଂଖ୍ୟକ ଓଡ଼ିଆ ଲୋକ ଆସିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମହାରାଷ୍ଟ୍ର ନିର୍ବାଚନ ଓ ପୁରା ଦେଶରେ ନିର୍ବାଚନର ଫଳାଫଳ ପୂରା ଦେଶରେ ଆମ ପ୍ରତି ବିଶ୍ୱାସ ଭରି ଦେଇଛି । କିନ୍ତୁ ବିରୋଧୀ ଦଳ ସବୁବେଳେ ଭାଜପା ସରକାର ବିରୁଦ୍ଧରେ ସକାଳ ସଞ୍ଜ ଅପପ୍ରଚାର କରୁଛନ୍ତି । କିନ୍ତୁ ଜନତା ବିଜେପିକୁ ଆର୍ଶୀବାଦ ଦେବାକୁ ମଇଦାନରେ ଦୌଡୁଛନ୍ତି । ନିର୍ବାଚନ ପୂର୍ବରୁ ବଡ଼ବଡ଼ ରାଜନୈତିକ ବିଶ୍ଳେଷକ କହୁଥିଲେ ବିଜେପି ଓଡ଼ିଶାର ସରକାର ଗଢ଼ି ପାରିବ ନାହିଁ କିନ୍ତୁ ଯେତେବେଳ ଫଳାଫଳ ଆସିଲା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା । କାରଣ ଓଡ଼ିଶାର ଲୋକ କେନ୍ଦ୍ରରେ ବିଜେପି ସରକାର କାମ ଦେଖିଲେ । ଓଡ଼ିଶାର ଲୋକ ଆମକୁ ହୃଦୟ ଖୋଲିକି ଆର୍ଶୀବାଦ ଦେଇଛନ୍ତି ।
ମୋଦୀ ଆହୁରି କହିଛନ୍ତି, ପ୍ରଥମେ ଭାବୁଥିଲି ମୁଁ ହିନ୍ଦୀରେ ଲୋକଙ୍କୁ କିପରି ବୁଝାଇବି । କିନ୍ତୁ ଭାଷା ଏଠାରେ ପ୍ରବିବନ୍ଧକ ହୋଇ ପାରି ନ ଥିଲେ । ଏଠି ଭାଷା ଠାରୁ ଭାବ ଅଧିକ ମଜବୁତ ଥିଲା । ଗୁଜୁରାଟରେ ମୁଖ୍ୟମନ୍ତ୍ରୀ ଓ ଦେଶରେ ପ୍ରଧାନମନ୍ତ୍ରୀ ହୋଇ ସେବା କରିବାର ସୁଯୋଗ ମିଳିଲା । ଆଉ ଦେଶବାସୀଙ୍କ ଆର୍ଶୀବାଦରେ ଆମେ ୩ୟ ଥର ପାଇଁ ସରକାର କଲୁ । ୨୦୧୪ ଏବଂ ୨୦୧୯ରେ ଯେଉଁ ଭାବନା ଥିଲା ୨୦୨୪ରେ ତାହା ବହୁ ଗୁଣିତ ହୋଇଯାଇଛି ।
ମୋଦୀ ତାଙ୍କ ଭାଷଣରେ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି । ସେ କହିଛନ୍ତି ରାଜନୀତିରେ ନୀତିଗତି ବିରୋଧ ସ୍ୱାଭାବିକ ଅଟେ । କୌଣସି ବି ନିଷ୍ପତ୍ତିକୁ ନେଇ ଭିନ୍ନଭିନ୍ନ ମତ ହୋଇଥାଇପାରେ । ସମସ୍ତ ରାଜନୈତିକ ଦଳ ମାନଙ୍କର ଏହି ମଧ୍ୟ ଅଧିକାର ଅଛି ଯେ ସେମାନେ ନିଜର ଚିନ୍ତାଧାରାକୁ ଲୋକଙ୍କ ପାଖରେ ପହଁଚାଇ ଥାଆନ୍ତି । ପୂର୍ବରୁ ମଧ୍ୟ ଆନ୍ଦୋଳନ ହେଉଥିଲା ଆଜି ବି ହେଉଛି । କିନ୍ତୁ ଆଜିର ଆନ୍ଦୋଳନରେ ପରିବର୍ତ୍ତନ ଆସିଛି । ଭାରତୀୟ ସମ୍ବିଧାନର ଭାବନାକୁ ଦଳି ମକଚି ଦିଆଯାଉଛି । ଲୋକତନ୍ତ୍ରର ସମସ୍ତ ସମ୍ମାନ ଓ ମର୍ଯ୍ୟାଦାକୁ ଅଶ୍ୱୀକାର କରାଯାଉଛି ।
ଯେଉଁ କିଛି ଲୋକ ସିଂହାସନ ଲାଳସାରେ ଥିଲେ ସେମାନଙ୍କୁ ଜନତା ପ୍ରତ୍ୟାକ୍ଷାନ କରିଛନ୍ତି । ସିଂହାସନ ଆଶାରେ ଜନତାଙ୍କ ଭାବନା ସହିତ ଖେଳୁଛନ୍ତି । ନିଜର ରାଗ ଜନତାଙ୍କ ଉପରେ ସୁଝାଉଛନ୍ତି । ଦେଶକୁ ଭୁଲ ରାସ୍ତାରେ ନେବାକୁ ଲୋକଙ୍କୁ ଭ୍ରମିତ କରୁଛନ୍ତି । ତେଣୁ ଜାଗୃତ ନାଗରିକ, ବିଜେପିର କାର୍ଯ୍ୟକର୍ତ୍ତା, ସମ୍ବିଧାନକୁ ଭଲ ପାଉଥିବା ଲୋକଙ୍କ ପାଇଁ ଏହା ବହୁତ ପରୀକ୍ଷା ସୃଷ୍ଟି କରୁଛି । ସେଥିପାଇଁ ଆମକୁ ଜାଗୃତ ରହିବାକୁ ପଡ଼ିବ । ସିଂହାସନ ଲାଳସାରେ ଲୋକଙ୍କୁ ମିଥ୍ୟା କହି ଆସୁଛନ୍ତି । ୨୦୧୯ରେ ଯେଉଁ ଚୌକିଦାର ତାଙ୍କ ପାଇଁ ଚୋର ଥିଲା ୨୦୨୪ରେ ତାଙ୍କ ପାଇଁ ସଚ୍ଚୋଟରେ ପରିଣତ ହୋଇଥିଲା ।
ଆଜିର କେନ୍ଦ୍ରର ବିଜେପି ସରକାର ଓଡ଼ିଶାର ଗୌରବକୁ ପ୍ରାଥମିକତା ଦେଉଛି । ଆମ ଦେଶରେ ଇଂରେଜ ଅମଳରୁ ଡିଜିପି ସମ୍ମିଳନୀ ହେଉଛି । କିନ୍ତୁ ଓଡ଼ିଶାରେ ପ୍ରଥମ ଥର ପାଇଁ ଡିଜିପି ସମ୍ମିଳନୀ ହେଉଛି । ଡିଜିପିମାନେ ମହାପ୍ରଭୁ ଜଗନ୍ନାଥଙ୍କ ଆର୍ଶୀବାଦ ନେଇକି ଯିବେ । ସେହିପରି ଆଗାମୀ ଡିସେମ୍ବର ୪ ତାରିଖରେ ନୌସେନା ଦିବସ ପାଳନ ହେବ । ଫଳରେ ଓଡ଼ିଶାର ବୈଷୟିକ ପ୍ରତିଷ୍ଠାନ ବୃଦ୍ଧି ପାଇବ । ସେହିପରି ଜାନୁୟାରୀ ମାସରେ ପ୍ରଥମ ଥର ପାଇଁ ପ୍ରବାସୀ ଭାରତୀୟ ସମ୍ମିଳନୀ ହେବ । ଫଳରେ ଓଡ଼ିଶାର ପରିଚୟ ଏବଂ ଗୁରୁତ୍ୱ ବଢ଼ିବାକୁ ଯାଉଛି । ଆମର ଓଡ଼ିଶାକୁ ବିଶ୍ୱ ସ୍ତରକୁ ପହଁଚାଇବାକୁ ଆପ୍ରାଣ ଉଦ୍ୟମ କରିବୁ । ସେଥିପାଇଁ ଓଡ଼ିଶାର ଗୌରବ ବଢ଼ାଇବାକୁ ସ୍ୱଚ୍ଛ ଭାରତ ଅଭିଯାନ କରିବାକୁ ମୋଦୀ ଆହ୍ୱାନ କରିଛନ୍ତି । ଖେଳ, ପର୍ଯ୍ୟଟନ ଓ ସଂସ୍କୃତିରେ ଓଡ଼ିଶା ଦ୍ରୁତ ଗତିରେ ଦୌଡୁଛି । ଯେତେବେଳେ ଭିତ୍ତିଭୂମି ସୁଦୃଢ଼ ହେବ ସେତେବେଳେ ନୂଆ ଉଦ୍ୟୋଗ ବଢ଼ିବ, ବାଣିଜ୍ୟିକ ଶିଳ୍ପ ପ୍ରତିଷ୍ଠାନ ମଧ୍ୟ ବୃଦ୍ଧି ପାଇବ ।
ଗାଁରୁ ଆସିଥିବା ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ସେହିପରି ଆଦିବାସୀ ଝିଅ ଶ୍ରୀମତୀ ଦୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ହୋଇଛନ୍ତି । ଆଗମୀ ପୀଢ଼ୀର ଆଦିବାସୀଙ୍କ ଝିଅଙ୍କ ପାଇଁ ଏହା ପ୍ରେରଣା ଦେବ । ସେହିପରି ମୋଦୀ ପିଏମ ଆବାସ ଯୋଜନା, ସୁଭଦ୍ରା ଯୋଜନା, ପାନୀୟ ଜଳ ଯୋଗାଣ ସମ୍ପର୍କରେ ଗୁରୁତ୍ୱାରୋପ କରିଛନ୍ତି ।