କେନ୍ଦ୍ରାପଡ଼ା: ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ମାମଲାରେ ପୁରୁଷ ବନ୍ଧୁଙ୍କ ଡାକ୍ତରୀ ମାଇନା ପରେ ଆଜି କୋର୍ଟ ଚାଲାଣ କରିଛି ପୋଲିସ। ପ୍ରାଥମିକ ପ୍ରମାଣ ଆଧାରରେ ପ୍ରମୋଦ ବେହେରାଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ପ୍ରମୋଦ ମୋବାଇଲ୍ ରେ ୬୦ ଅଶ୍ଲୀଳ ଭିଡିଓ ଥିବାର ପ୍ରମାଣ ମିଳିଛି। ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଏସପି ସିଦ୍ଧାର୍ଥ କଟାରିଆ।
ଏସପି କହିଛନ୍ତି, ‘ଜୁଲାଇ ୧୭ରେ ପୀଡ଼ିତାର ବାପାଙ୍କ ପାଖକୁ ଗୋଟିଏ ଅଶ୍ଳୀଳ ଭିଡିଓ ପଠାଇଥିଲା ଅଭିଯୁକ୍ତ ପ୍ରମୋଦ । ସେହି ସମାନ ଦିନ ଆଉ ୪ରୁ ୫ ଜଣଙ୍କ ପାଖକୁ ମଧ୍ୟ ତାହା ପଠାଇଥିଲା। ମୃତ୍ୟୁ ପୂର୍ବଦିନ ଛାତ୍ରୀଙ୍କୁ ୬ ଥର କଲ ଓ ମେସେଜ୍ କରିଥିଲା ଅଭିଯୁକ୍ତ । ଏପରିକି ମୃତ୍ୟୁ ଦିନ (ଘଟଣା ଦିନ) ସକାଳ ୭ଟା ୩୪ରେ ମୋବଇଲ୍ କଲ୍ କରିଥିଲା ଅଭିଯୁକ୍ତ। ଆମେ ଅଭିଯୁକ୍ତ ଓ ପୀଡ଼ିତା ବାପାଙ୍କ ମୋବାଇଲ୍ ସିଜ୍ କରି ସାରିଛୁ ବୋଲି ସୂଚନା ଦେଇଛନ୍ତି ଏସପି। ସେହିପରି ବର୍ତ୍ତମାନ ସୁଦ୍ଧା କେବଳ ଅଭିଯୁକ୍ତ ପ୍ରମୋଦ ତଦନ୍ତ ପରିସରଭୁକ୍ତ ହୋଇଛନ୍ତି, ଆଉ କେହି ନୁହନ୍ତି ବୋଲି ଏସପି ସୂଚନା ଦେଇଛନ୍ତି । ଅଭିଯୁକ୍ତ ପ୍ରମୋଦ ନାଁରେ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଦଫା ଲାଗି ସଙ୍ଗୀନ ଦଫା ଲାଗିଛି। ଏଫ୍ଏମଟି, ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ସବୁ ସ୍ପଷ୍ଟ ହେବ’ ବୋଲି କହିଛନ୍ତି ଏସପି। ଏଥିସହ ସିସିଟିଭି ଫୁଟେଜ୍ ରେ ପୀଡ଼ିତାଙ୍କ ବାପା, ମା’ଙ୍କ ଯିବା ଆସିବା ଦୃଶ୍ୟ ମିଳିଛି।
ଏହି ଘଟଣା ପରେ ପ୍ରମୋଦ ବେହେରାଙ୍କୁ ଚେନ୍ନାଇରୁ ଏକ ସ୍ବତନ୍ତ୍ର ପୋଲିସ ଟିମ ଗିରଫ କରି ପଟ୍ଟାମୁଣ୍ଡାଇ ଆଣିଥିଲା । ଝିଅକୁ ବ୍ଲାକମେଲ କରି ପ୍ରମୋଦ ମାନସିକ ଚାପରେ ରଖିଥିବା ଅଭିଯୋଗ କରିଥିଲେ ମୃତ ଛାତ୍ରୀଙ୍କ ବାପା । ଗତକାଲି ମୃତ ଛାତ୍ରୀଙ୍କ ବାପା ଥାନାରେ FIR କରିଥିଲେ। ସୂଚନା ଦେଇଛନ୍ତି। FIR ପରେ ମାମଲା ରୁଜୁ କରି ପୋଲିସ ଅଭିଯୁକ୍ତ ପୁରୁଷ ବନ୍ଧୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।