ଭୁବନେଶ୍ୱର: ଆଜିର ଦିନ ଅତ୍ୟନ୍ତ ବିଶେଷ ଅଟେ । ଓଡ଼ିଶାରେ ପ୍ରଥମ ଥର ବିଜେପି ସରକାର ସଫଳତାର ସହିତ ଏକ ବର୍ଷ ପୂରଣ କରିଛି । ଏହା ସରକାରଙ୍କର ନୁହେଁ ବରଂ ସୁଶାସନର ବର୍ଷ ପୂର୍ତ୍ତି । ସଫଳତାର ଏକ ବର୍ଷକୁ ଜନସେବା ଏବଂ ଜନ ବିଶ୍ୱାସକୁ ସମର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ପ୍ରଧାନମନ୍ତ୍ରୀ ଓଡ଼ିଶାରେ ବିଜେପି ସରକାର ଏକ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ପ୍ରଥମେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ରୋଡ୍ ଶୋ କରି ଜନତା ମଇଦାନରେ ପହଁଚିଥିଲେ । ମୋଦୀ ୧୯ ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି । ୧୦୫ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି । ସେହିପରି ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାରେ ହିତାଧିକାରୀଙ୍କୁ କାର୍ଡ ବାଣ୍ଟନ କରିଛନ୍ତି । ଲକ୍ଷପତି ଦିଦିଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ମୁଖ୍ୟମନ୍ତ୍ରୀ ଅନ୍ତୋଦ୍ୟୋୟ ଯୋଜନାରେ ଘର ବାଣ୍ଟିଛନ୍ତି ।
ଓଡ଼ିଶାର ବିକାଶକୁ ନୂଆ ଦିଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ତାଙ୍କର ପୂରା ଟିମକୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ଓଡ଼ିଶା ଭାରତର ଦିବ୍ୟ ତାରା ଅଟେ । ଓଡ଼ିଶା ଭାରତର ସଂସ୍କୃତିକୁ ବର୍ଷ ବର୍ଷ ଧରି ସମୃଦ୍ଧ କରିଆସୁଛି । ବିକାଶର ମନ୍ତ୍ରରେ ଆଗକୁ ବଢ଼ୁଛି ଓଡ଼ିଶା । ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିମନ୍ତ୍ରଣ ପ୍ରତ୍ୟାଖ୍ୟାନ କରିଥିବା କହିଛନ୍ତି ।
କଂଗ୍ରେସ ମଡେଲକୁ ଟାର୍ଗେଟ୍
ଏହି ଅବସରରେ ମୋଦୀ କଂଗ୍ରେସକୁ ନିଶାଣ କରିଛନ୍ତି । କଂଗ୍ରେସର ବିକାଶ ମଡେଲକୁ ଅତି କଡ଼ା ଭାଷାରେ ତାତ୍ସଲ୍ୟ କରିଛନ୍ତି । ସ୍ୱାଧୀନତା ପରେ ବର୍ଷ ବର୍ଷ ଧରି ଦେଶର ଜନତା କଂଗ୍ରେସ ମଡେଲ ଦେଖିଛନ୍ତି । ସେତେବେଳେ ନା ସୁଶାସନ ଥିଲା ନା ଲୋକଙ୍କ ଜୀବନ ସହଜ ଥିଲା । ବିକାଶ ଯୋଜନାକୁ ଲଟକାଇବା, ଅଟକାଇବା, ବାଟବଣା କରିବା ଏବଂ ଦୁର୍ନୀତି କରିବା କଂଗ୍ରେସ ବିକାଶ ମଡେଲର ପରିଚୟ ଥିଲା । କିନ୍ତୁ ଏବେ ଦେଶ ବିଜେପିର ବିକାଶ ମଡେଲ ଦେଖୁଛି । ଦେଶରେ ଅନେକ ରାଜ୍ୟରେ ବିଜେପି ପ୍ରଥମ ସରକାର କରିବା ପରେ କେବଳ ସରକାର ବଦଳିନଥିଲା ବରଂ ସାମାଜିକ ଓ ଆର୍ଥିକ ପରିବର୍ତ୍ତନର ନୂଆ ଯୁଗ ସୃଷ୍ଟି ହୋଇଛି । ଏହି ପରିପ୍ରେକ୍ଷୀରେ ମୋଦୀ ଆସାମ ଓ ତ୍ରିପୁରାର ଉଦାହରଣ ଦେଇଛନ୍ତି । ସେହିପରି ଓଡ଼ିଶା ମଧ୍ୟ ଅନେକ ସମସ୍ୟା ସମ୍ମୁଖୀନ ହୋଇଛି । କିନ୍ତୁ ଡବଲ ଇଞ୍ଜିନ ସରକାର ଆସିବା ଦ୍ୱାରା କେନ୍ଦ୍ରର ଅନେକ ଯୋଜନାର ଲାଭ ଉଠାଉଛି ଓଡ଼ିଶା । ଏପରିକି ସୁରତରେ ଥିବା ଓଡ଼ିଆ ମଧ୍ୟ ଏହାର ଲାଭ ଉଠାଉଛନ୍ତି ।
ଅବହେଳିତ ଅବସ୍ଥାରେ ଥିଲେ ଆଦିବାସୀ
ସେହିପରି ମୋଦୀ ଆଦିବାସୀଙ୍କ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି । ନକ୍ସଲବାଦ ଆଳରେ ପୂର୍ବରୁ ଆଦିବାସୀକୁ ବାରମ୍ବାର ଉପେକ୍ଷା କରାଯାଉଥିଲା । ଲମ୍ବା ଶାସନ କରିଥିବା ଦଳ ଆଦିବାସୀଙ୍କୁ ରାଜନୀତି ପାଇଁ କେବଳ ବ୍ୟବହାର କରିଛି । ଆଦିବାସୀ ବହୁଳ ଜିଲ୍ଲାକୁ ଲାଲଗଡ଼ ଭାବରେ ଘୋଷଣା କରି ଅବହେଳା କରାଯାଇଛି । କିନ୍ତୁ ବିଜେପି ସରକାର ଆସିବା ଦ୍ୱାରା ଆଦିବାସୀ ସମାଜକୁ ହିଂସାରୁ ବାହାରକୁ ଆଣିଛି । ଆଦିବାସୀ ଅଞ୍ଚଳରେ ବିକାଶର ଗଙ୍ଗା ବହୁଛି । ବହୁତ ଶୀଘ୍ର ଦେଶରୁ ମାଓବାଦୀ ମୂଳପୋଛ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୋଦୀ ।
ଓଡ଼ିଶା ଭିଜନ ୨୦୩୬ ଉପରେ ଗୁରୁତ୍ୱ
ସେହିପରି ପ୍ରଥମଥର ପାଇଁ ମତ୍ସ୍ୟଜୀବୀଙ୍କ ପାଇଁ କିଷାନ କ୍ରେଡିଟ୍ କାର୍ଡ ଉପଲବ୍ଧ ହୋଇଛି । ପୂର୍ବ ଭାରତ ବିକାଶରେ ଓଡ଼ିଶା ପୂରା ଯୋଡ଼ି ହୋଇ ସାରିଛି । ପାରାଦୀପ, ଚଣ୍ଡିଖୋଲ, ଗୋପାଳପୁର ଓଡ଼ିଶାକୁ ଶିଳ୍ପ ହବ୍ ହୋଇଛି । ପେଟ୍ରୋ କେମିକାଲରେ ଓଡ଼ିଶାରେ ଦେଢ଼ ଲକ୍ଷ କୋଟି ନିବେଶ ହୋଇଛି । ଓଡ଼ିଶା ସରକାର ୨୦୩୬ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି । ଓଡ଼ିଶା ଭିଜନ ୨୦୩୬କୁ ନିଜେ ଅନୁଧ୍ୟାନ କରିଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।