ପୁରୀ; ଶ୍ରୀଜଗନ୍ନାଥଙ୍କ ଅଣସର ସମୟରେ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କର ପ୍ରତିରୂପ ରୂପେ ପୂଜା ପାଆନ୍ତି ତିନି ପଟପ୍ରତିମା। ସେମାନେ ଅଣସର ପଟି ବା ‘ପଟିଦିଅଁ’ ଭାବରେ ବିଦିତ। ତାଙ୍କର ନାଆଁ ଯଥାକ୍ରମେ ଶ୍ରୀବାସୁଦେବ, ଶ୍ରୀନାରାୟଣ ଓ ଶ୍ରୀଭୁବନେଶ୍ୱରୀ। ସେଥିରେ ଶ୍ରୀସୁଦର୍ଶନ ଶ୍ରୀନାରାୟଣ ପ୍ରତିମାଙ୍କର ଶ୍ରୀହସ୍ତରେ ଚକ୍ରରୂପେ ଅବସ୍ଥିତ ଥାଆନ୍ତି। ଏହି ପଟି ଦିଅଁ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ।
ଶ୍ରୀମନ୍ଦିରରେ ଏହି ପଟି ଦିଅଁଙ୍କର ପୁଜା ବହୁ ପୁରାତନ ପରମ୍ପରା । ଶ୍ରୀଜିଉଙ୍କର ଅଣସର ସମୟରେ ରତ୍ନ ସିହାଂସନରେ ପଟି ଦିଅଁଙ୍କୁ ପୁଜା କରାଯାଏ । ପୁରୀର ଚିତ୍ରକାର ସାହିରେ ଅନନ୍ତ ବାସୁଦେବ ଓ ମା ଭୁବନେଶ୍ବରୀଙ୍କ ପଟି ଦିଅଁ ତିଆରି ହେଉଥିବାବେଳେ ବାଲିସାହିର ପଣାପିଡିଆ ସାହିରେ ଅନନ୍ତ ନାରାୟଣଙ୍କର ପଟି ତିଆରି ହୋଇଥାଏ । ଏହି ପଟି ଦିଅଁଙ୍କର ଆକାର 4 ଫୁଟ ଚଉଡା ଓ ସାଢେ 5 ଫୁଟ ଉଚ୍ଚତା ରହିଥାଏ ।
ଏହି ପଟି ଦିଅଁ ନିର୍ମାଣ ଶେୈାଳି ଅତି ବିଚିତ୍ର । 6 ଫୁଟର ନୂଆ କପଡା ଆଣି ତାହାକୁ ଧୋଇ ତେନ୍ତୁଳିମଂଜି ଅଠାରେ ଭିଜାଯାଇ ଖରାରେ ଶୁଖାଯାଏ । ଏହାପରେ ପଥର ସାହାର୍ଯ୍ୟରେ ଘସା ଯାଇ ପାଲିସ କରି ଖଡି ବୋଳାଯାଏ । ଏହାପରେ ପ୍ରାକୃତିକ ପଦାର୍ଥ ଯଥା ହେଙ୍ଗୁଳ , ହରତାଳ , ସିନ୍ଦୁର , ଗେରୁ , କଳାକୁ ନେଇ ବିଭିନ୍ନ ରଙ୍ଗ ପ୍ରସ୍ତୁତ କରାଯାଏ । ସେଥିରେ ପଟି ଉପରେ ତୁଳି ସାହାର୍ଯ୍ୟରେ ରଙ୍ଗ କରାଯାଏ । ଏହି ପଟି ଦିଅଁରେ ଠାକୁରଙ୍କ ମୁର୍ତି , ସିଂହାସନ ଓ ସଖୀ ଆଙ୍କାଯାଇଥାଏ । ନିୟମ ନିଷ୍ଠାରେ ରହି 7ରୁ 8 ଜଣ ଏହି କାର୍ଯ୍ୟରେ ଲାଗି ପଡିଥାନ୍ତି ।ଶ୍ରୀମନ୍ଦିରରେ ତିନି ଠାକୁରଙ୍କ ଅଣସର ସମୟରେ ଏହି ପଟି ଦିଅଁ ପୁଜା ପରମ୍ପରା ରହଆସିଛି । ଅଣସର ପରେ ଏହି ପଟି ଦିଅଁ ଗୁଡିକୁ ବିସର୍ଜନ କରାଯିବା ଶ୍ରୀମନ୍ଦିର ପରମ୍ପରାରେ ଲିପିବଦ୍ଧ ରହିଛି । ଭକ୍ତ ପ୍ରିୟ ମାଧବ ସବୁବେଳେ ଭିନ୍ନ ଭିନ୍ ବେଶରେ ଭକ୍ତକୁ ଦର୍ଶନ ଦେଇଥାନ୍ତି । ଶ୍ରୀମନ୍ଦିରରେ ଅଣସର ସମୟରେ ମଧ୍ୟ ତିନି ଠାକୁର ପଟି ଦିଅଁ ଭାବେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ।