ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ନର୍ଲା ବିଜେଡ଼ି ବିଧାୟିକା ମନୋରମା ମହାନ୍ତିଙ୍କ ସରକାରୀ ବାସଭବନରେ ପୋଲିସ ପଶିବାକୁ ତୀବ୍ର ନିନ୍ଦା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏହା କେବଳ ଆଶ୍ଚର୍ଯ୍ୟକର ନୁହେଁ ବରଂ ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ।
ସୋମବାର ବିଧାନସଭା ପରିସରରେ ନବୀନ କହିଛନ୍ତି ଯେ ମହିଳା ବିଧାୟିକା ମନୋରମା ମହାନ୍ତିଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ଗତକାଲି ପୋଲିସ ଆକ୍ରମଣ କରିଛି । ଏହା କେବଳ ଆଶ୍ଚର୍ଯ୍ୟକର ନୁହେଁ ବରଂ ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ବ୍ୟବହାର ଅଟେ । ତାଙ୍କ ଘରୋଇ ସହାୟିକା ଘରେ ଏକୁଟିଆ ଥିବାବେଳେ ପୋଲିସ ପ୍ରବେଶ କରିବାକୁ ନବୀନ ନିନ୍ଦା କରିଛନ୍ତି ।
ଉଲ୍ଲେଖ ଯୋଗ୍ୟ, ବିଧାୟିକାଙ୍କ ସ୍ୱାମୀ ତଥା ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ତହସିଲଦାର ବିଭୁ ପ୍ରସାଦଙ୍କୁ ହତ୍ୟା ଧମକ ଦେଇଥିବା କେସିଙ୍ଗା ପୋଲିସ ନିକଟରେ ଅଭିଯୋଗ ହୋଇଛି । ଗତକାଲି କେସିଙ୍ଗା ପୋଲିସ ବିଧାୟିକାଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ପୋଲିସ ଚଢ଼ଉ କରିଥିଲା । ମାତ୍ର ସେଠାରେ ମନୋରମାଙ୍କ ସ୍ୱାମୀଙ୍କୁ ପାଇନଥିଲେ । ଘରୋଇ ସହାୟିକା ସଙ୍ଗୀନ ଅଭିଯୋଗ କରିଥିଲେ । ସେ ଘରେ ଏକୁଟିଆ ଥିଲେ ଏବଂ ଗାଧୋଇ ସାରି କପଡ଼ା ବଦଳାଇବାକୁ ଯାଉଥିବାବେଳେ ପୋଲିସ କିଛି ସୂଚନା ନ ଦେଇ ପଶିଥିଲା । ଯେଉଁଥିପାଇଁ ସେ ବହୁତ ଅସହଜ ଅନୁଭବ କରିଥିଲେ ବୋଲି କହିଥିଲେ ।
ଅନ୍ୟପକ୍ଷେ କଳାହାଣ୍ଡି ଏସପି ଚଢ଼ଉ ଅଭିଯୋଗକୁ ଖଣ୍ଡନ କରିଥିଲେ । ତଲାସୀ ପାଇଁ ନୁହେଁ ବରଂ ପୋଲିସ ନୋଟିସ୍ ଦେବାକୁ ଯାଇଥିଲା ବୋଲି ଏସପି କହିଥିଲେ ।