ପୁରୀ: ପୁଣି କାଳ ହେଲା ସମୁଦ୍ର ସ୍ନାନ । ସୋମବାର ସମୁଦ୍ରରେ ଗାଧୋଉଥିବାବେଳେ ବୁଡ଼ି ଯାଇ ୨ ଜଣ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି । ମୃତ ଦୁଇ ପର୍ଯ୍ୟଟକଙ୍କ ପରିଚୟ ମିଳିପାରିନଥିବା ବେଳେ ମୃତ ଦେହକୁ ପୁରୀ ଜିଲ୍ଲା ଚିକିତ୍ସାଳୟକୁ ପଠାଯାଇଛି।
ମିଳିଥିବା ପ୍ରାଥମିକ ସୂଚନା ଆଧାରରେ, ଆଜି ସକାଳେ ଦୁଇ ପର୍ଯ୍ୟଟକଙ୍କ ପୁରୀ ସମୁଦ୍ରରେ ଗାଧୋଉଥିବାବେଳେ ରିପ୍ କରେଣ୍ଟରେ ଟାଣି ହୋଇ ବଡ଼ ଲହଡ଼ି ମାଡ଼ରେ ସମୁଦ୍ର ଭିତରକୁ ଚାଲି ଯାଇଥିଲେ। ସେଠାରେ ଉପସ୍ଥିତ ଥିବା ଲାଇଫ ଗାର୍ଡମାନେ ତୁରନ୍ତ ସମୁଦ୍ର ଭିତରକୁ ଯାଇ ଉଭୟଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପୁରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ଡ଼ାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଖବର ଲେଖା ଯିବା ବେଳକୁ ଉଭୟଙ୍କ ପରିଚୟ ମିଳିପାରିନଥିଲା ।
ଘଟଣାକୁ ନେଇ ପୋଲିସ ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ମୃତକଙ୍କ ପରିଚୟ ପାଇଁ ପଚରାଉଚରା କରାଯାଉଛି ।
ଏଠାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ପୁରୀ ସମୁଦ୍ରରେ ପ୍ରତି ଦିନ ଏଭଳି ଘଟଣା ସାମ୍ନାକୁ ଆସୁଛି । କିନ୍ତୁ କେବଳ ଡାକବାଜି ଯନ୍ତ୍ର ସାହାଯ୍ୟ ଲୋକଙ୍କ ସଚେତନ କରାଯିବା ବ୍ୟତୀତ ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ନେଉନାହିଁ । ସମୁଦ୍ର କୂଳରେ ପର୍ଯ୍ୟାପ୍ତ ମାତ୍ରାରେ ଲାଇଫ ଗାର୍ଡ ମୁତୟନ କରିବା, ଲାଇଫ ଗାର୍ଡମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ସହିତ ଅତ୍ୟାଧୁନିକ ଉପକରଣ ପ୍ରଦାନ, ପର୍ଯ୍ୟଟକଙ୍କୁ ସଚେତନ ନିମନ୍ତେ ବିଭିନ୍ନ ସ୍ଥାନରେ ସୂଚନା ଫଳକ ଏବଂ ପୋଲିସ ଫୋର୍ସ ମୁତୟନ କରାଗଲେ ଏଭଳି ଅଘଟଣକୁ ରୋକାଯାଇ ପାରିବ ବୋଲି ବୁଦ୍ଧିଜୀବୀମାନେ ମତ ରଖିଛନ୍ତି ।