ଭୁବନେଶ୍ବର: ବିଜୁ ବାବୁଙ୍କ ବିରୋଧରେ ଅପମାନଜନଜ ମନ୍ତବ୍ୟ ପାଇଁ ପଦ ଛାଡ଼ିଲେ ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର। ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ପ୍ରତିବାଦରେ ସସ୍ମିତ ଏହି ପଦକ୍ଷେପ ଗ୍ରହଣ କରି ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତି କମିଟି ସଦସ୍ୟ ପଦ ଛାଡ଼ିଛନ୍ତି। ରାଜ୍ୟସଭା ଅଧ୍ୟକ୍ଷଙ୍କ ପାଖକୁ ରବିବାର ନିଜର ଇସ୍ତଫା ପତ୍ର ପଠାଇଛନ୍ତି।
ବିଜେଡି ଜାତୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ନିଶିକାନ୍ତ ଦୁବେ ଏକ ସାର୍ବଜନୀନ ବିବୃତ୍ତିରେ ବିଜୁ ପଟ୍ଟନାୟକଙ୍କ ଉପରେ କିଛି ଅପମାନଜନକ, ମିଥ୍ୟା ଏବଂ ଭିତ୍ତିହୀନ ବୟାନ ଦେଇଥିଲେ। ବିଜୁବାବୁ ଜଣେ ଆନ୍ତର୍ଜାତୀୟ ପ୍ରତିଷ୍ଠିତ ବ୍ୟକ୍ତି ଥିଲେ। ସେ ଜଣେ କିମ୍ବଦନ୍ତୀ ପୁରୁଷ ଏବଂ ଜଣେ ରାଜନେତା ଥିଲେ। ଭାରତର ବିଶ୍ୱ କୂଟନୀତି ନିଶ୍ଚିତ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ଇଣ୍ଡୋନେସିଆ ସ୍ୱାଧୀନତା ସଂଗ୍ରାମୀଙ୍କୁ ଉଦ୍ଧାର କରିବାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ରୁଷିୟମାନଙ୍କୁ ସମର୍ଥନ କରିବାରେ ତାଙ୍କର ଉଲ୍ଲେଖନୀୟ ଭୂମିକା ଥିଲା।
ଇଣ୍ଡୋନେସିଆର ପ୍ରତିରୋଧ ଏବଂ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଉଦ୍ଧାର କରିବାରେ ତାଙ୍କର ଭୂମିକା ପାଇଁ ସେ ବ୍ୟାପକ ଭାବରେ ସମ୍ମାନିତ ହୋଇଥିଲେ। ‘ଏକ୍ସ’ରେ ଶ୍ରୀ ପାତ୍ର କହିଛନ୍ତି, ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ରୁଷିଆ ନାଗରିକମାନଙ୍କୁ ସମର୍ଥନ କରିବାରେ ବିଜୁବାବୁଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା। ସ୍ୱାଧୀନତା ଆନ୍ଦୋଳନ ସମୟରେ ତାଙ୍କର ଭୂମିକା ପାଇଁ ସେ ସମ୍ମାନିତ ହୋଇଥିଲେ।
ସେ ସର୍ବଦା ଆନ୍ତର୍ଜାତୀୟ ଏବଂ ବିଶ୍ୱ ସ୍ତରରେ ମାତୃଭୂମି ଭାରତର ସେବାରେ ନିୟୋଜିତ ଥିଲେ।ତାଙ୍କୁ କିଛି ଅପମାନଜନକ ସନ୍ଦର୍ଭ ସହିତ ଯୋଡିବା ଏବଂ ବୟାନ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ତେଣୁ ପ୍ରତିବାଦ ସ୍ଵରୂପ, ମୁଁ କେବଳ ଏହାକୁ ନିନ୍ଦା କରିନାହିଁ ବରଂ ମୁଁ ଯୋଗାଯୋଗ ଏବଂ ଆଇଟି କମିଟିର ସଦସ୍ୟ ଭାବରେ କମିଟିରୁ ମଧ୍ୟ ଇସ୍ତଫା ଦେଇଛି ବୋଲି ସସ୍ମିତ ପାତ୍ର କହିଛନ୍ତି।