ଭୁବନେଶ୍ଵର: ସାଧାରଣ ଗ୍ରାହକଙ୍କ ପାଇଁ ଖୁସି ଖବର । ବଡ ଘୋଷଣା କଲା OERC (ଓଇଆରସି) । ୨୦୨୫-୨୬ ବର୍ଷ ଲାଗି ବିଦ୍ୟୁତ୍ ଦର ନିର୍ଦ୍ଧାରଣ କରିଛନ୍ତି ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆରସି) । ଏଥର ମଧ୍ୟ ଅପରିବର୍ତ୍ତିତ ରହିଲା ବିଦ୍ୟୁତ ଟାରିଫ୍ । ଅର୍ଥାତ୍ ବଢିବନି ବିଦ୍ୟୁତ ବିଲ୍ । ଏନେଇ ଓଇଆରସି ସଚିବ ପ୍ରିୟବ୍ରତ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।
୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଆଜି ଅପରାହ୍ନରେ ନୂଆ ବିଦ୍ୟୁତ୍ ଶୁଳ୍କ ଘୋଷଣା ହେବାର ଥିଲା । ବିଦ୍ୟୁତ୍ ଦର ବଢ଼ିବ ନା କମିବ ନା ଅପରିବର୍ତ୍ତିତ ରହିବ, ତା' ଉପରେ ରହିଥିଲା ସମସ୍ତଙ୍କ ନଜର । OERC ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ କିଛି ବଡ଼ ଘୋଷଣା କରିପାରେ ବୋଲି ଆଶା କରାଯାଉଥିଲା । ଶେଷରେ ତାହା ହିଁ ହୋଇଛି । ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିବ ବୋଲି ଘୋଷଣା କରିଛି OERC ।
ଓଇଆରସି ସଚିବ ପ୍ରିୟବ୍ରତ ପଟ୍ଟନାୟକଙ୍କ ସୂଚନା ଅନୁସାରେ, ଯଦି ଆପଣ ୨ କିଲୋ ୱାଟ୍ ପର୍ଯ୍ୟନ୍ତ ସ୍ମାର୍ଟ ମିଟର ବ୍ୟବହାର କରୁଛନ୍ତି ତେବେ ରେଣ୍ଟ୍ ଛାଡ କରାଯିବ । ପ୍ରତ୍ୟେକ ମାସ ବିଦ୍ୟୁତ ବିଲରେ ଉପଭୋକ୍ତାମାନେ ସ୍ମାର୍ଟ ମିଟର ଭଡ଼ା ବାବଦକୁ ୬୦ ତାଙ୍କ ଲେଖାଁଏ ଦେଉଥିଲେ। ଏବେ ସେହି ଖର୍ଚ୍ଚ ସରକାର ଦେବେ । ଏନେଇ ସରକାର ୭୦୦ ରୁ ୮୦୦ କୋଟି ଟଙ୍କାର ଆର୍ଥିକ ବୋଝ ସହିବେ । ସେହିପରି ଯେଉଁମାନେ ଡିଜିଟାଲ୍ ପେମେଣ୍ଟ କରୁଛନ୍ତି ସେମାନଙ୍କ ପାଇଁ ବିଲ୍ ପିଛା ୧୦ ଟଙ୍କା ଛାଡ କରାଯାଇଛି । ଅଗ୍ରୀମ ବିଲ ପ୍ରଦାନ କରିଥିବା ଉପଭୋକ୍ତା ଓ ଅନଲାଇନରେ ବିଲ ପ୍ରଦାନ କରୁଥିବା ଉପଭୋକ୍ତାଙ୍କୁ ୪ ପ୍ରତିଶତ ଲେଖାଁଏ ବିଲ୍ ରୁ ଛାଡ କରାଯାଇଛି।
ରେଳବାଇରେ ବିକାଶ ଲାଗି ୟୁନିଟ ପିଛା ୨୫ ପଇସା ରିହାତି ଦେବାକୁ ନିଷ୍ପତ୍ତି ନେଇଛନ୍ତି OERC। ଗ୍ରାମାଞ୍ଚଳରେ ଉପଭୋକ୍ତାଙ୍କୁ ୟୁନିଟ ପିଛା ୧୦ ପଇସା ରିହାତି ଦିଆଯାଇଛି। ଘରୋଇ ଉପଭୋକ୍ତାଙ୍କ ପାଇଁ DPS ଛାଡ଼ କରାଯାଇଛି ବା ପେନଲଟି ପଡିବ ନାହିଁ ବୋଲି କମିଶନ ଶୁଣାଣି କରିଛନ୍ତି। ସେହିପରି ଶିଳ୍ପ ସଂସ୍ଥା ମାନଙ୍କୁ ୮୦ ପ୍ରତିଶତ ଅତିରିକ୍ତ ବ୍ୟବହାର କଲେ ୨୦ ପ୍ରତିଶତ ରିହତି ଦିଆଯିବ। ଏଥିରେ ଶିଳ୍ପ ସଂସ୍ଥା ମାନେ ପ୍ରୋତ୍ସାହିତ ହେବେ ବୋଲି ଆଶାବ୍ୟକ୍ତ କରିଛି ଓଇଆରସି। ତେବେ ଲଗାତାର ଦ୍ୱିତୀୟ ବର୍ଷ ପାଇଁ ସାଧାରଣ ଉପଭୋକ୍ତାଙ୍କ ନିମନ୍ତେ ଟାରିଫ ବୃଦ୍ଧି ହୋଇନାହିଁ। ବିଜୁଳି ଦର ଅପରିବର୍ତ୍ତିତ ହେବାରୁ ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛି ।
ଅଧିକ ପଢନ୍ତୁ: ଚିଟ୍ ଫଣ୍ଡ ଟଙ୍କା ଫେରସ୍ତ ନେଇ ଗୃହରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ; କହିଲେ, ଖୁବଶୀଘ୍ର ଜମାକାରୀଙ୍କୁ ମିଳିବ ଟଙ୍କା