ଭୁବନେଶ୍ୱର: ଚିଟ୍ ଫଣ୍ଡ ଟଙ୍କା ଫେରସ୍ତ ନେଇ ନୂଆ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରୁଛନ୍ତି ସରକାର । ଟଙ୍କା ଫେରସ୍ତ ପ୍ରକ୍ରିୟା ସରଳୀକରଣ କରିବାକୁ ନୂଆ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯାଉଥିବା ନେଇ ଗୃହରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୯୬ ହଜାର ୪୭୪ ଜଣ କ୍ଷତିଗ୍ରସ୍ତ ହିତାଧିକାରୀଙ୍କୁ ୪୫ କୋଟି ୬୯ ଲକ୍ଷ ଟଙ୍କା ଫେରସ୍ତ କରାଯାଇଛି । ଅବଶିଷ୍ଟ ହିତାଧିକାରୀଙ୍କୁ ଟଙ୍କା ଫେରସ୍ତ କରାଯିବା ନେଇ ସରକାର ତ୍ୱରିତ ପଦକ୍ଷେପ ନେଉଛନ୍ତି ।
୭ଟି ଅନ୍ତରୀଣ ରିପୋର୍ଟରେ ୪ ଲକ୍ଷ ୭୨ ହଜାର ୬୫୧ ଜଣଙ୍କୁ ସୁପାରିସ୍ କରିଥିଲେ କମିଶନ । ଗୃହରେ ଏନେଇ ଲିଖିତ ଉତ୍ତର ରଖିବା ପରେ ଜମାକାରୀଙ୍କ ମନରେ ନୂଆ ଆଶା ସଞ୍ଚାର ହୋଇଛି । ଦୀର୍ଘ ବର୍ଷ ଧରି ଯେଉଁ କ୍ଷତିଗସ୍ତ ମାନେ ଟଙ୍କା ଫେରିପାଇନାହାନ୍ତି, ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ପରେ ସେମାନେ ଖୁସି ବ୍ୟକ୍ତ କରିଛନ୍ତି । ତେବେ ଏ ପ୍ରକ୍ରିୟାକୁ ଟିକେ ସରଳୀକରଣ କରିବା ପାଇଁ ସରକାର ପ୍ରସ୍ତୁତ ହେଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।
ରାଜ୍ୟରେ ୧୬୩ଟି ଚିଟଫଣ୍ଡ ସଂସ୍ଥା ପ୍ରାୟ ୬ ଲକ୍ଷ ଜମାକାରୀଙ୍କଠାରୁ ଟଙ୍କା ଲୁଟିଛନ୍ତି । ସି-ସୋର, ଅର୍ଥତତ୍ତ୍ବ, ସାରଦା, ମାଇକ୍ରୋ ଫାଇନାନ୍ସ ଭଳି କମ୍ପାନୀ ଲୋକଙ୍କୁ ଠକି ସେମାନଙ୍କ ଟଙ୍କା ହଡପ କରିଛନ୍ତି । ସରକାରକୁ ଆସିବା ପରେ ଚିଟଫଣ୍ଡ ଠକେଇ ମାମଲା ୪ ଲକ୍ଷରୁ ଉର୍ଦ୍ଧ ଜମାକାରୀ ଫେରସ୍ତ ପାଇବେ ନିଜର ଜମା ଟଙ୍କା ବୋଲି କହିଥିଲେ ନୂଆ ସରକାର । ଏନେଇ ପାଖାପାଖି ୧୦୦ କୋଟିରୁ ଉର୍ଦ୍ଦ୍ବ ଟଙ୍କା ଜମାକାରୀଙ୍କୁ ମିଳିବ । ଏଥିରେ ପାଖାପାଖି ୧୦୦ କୋଟିରୁ ଉର୍ଦ୍ଧ୍ବଟଙ୍କା ପାଇବେ କ୍ଷତିଗ୍ରସ୍ତ ।