ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ହରିୟାଣାର ବିଶ୍ଵ ପ୍ରସିଦ୍ଧ ସୁରଜ୍ କୁଣ୍ଡ ମେଳା । ଚଳିତ ବର୍ଷ ଥିମ୍ ଷ୍ଟେଟ୍ ଭାବେ ଯୋଗ ଦେଉଛନ୍ତି ଓଡ଼ିଶା ଓ ମଧ୍ୟ ପ୍ରଦେଶ । ଦୀର୍ଘ ୩୨ ବର୍ଷ ପରେ ସୁରଜକୁଣ୍ଡ ମେଳାରେ ଓଡ଼ିଶା ଥିମ ରାଜ୍ୟ ଭାବେ ଅଂଶ ଗ୍ରହଣ କରୁଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ଆୟୋଜକ ।
୩୮ ତମ ବିଶ୍ଵ ପ୍ରସିଦ୍ଧ ସୁରଜ୍ କୁଣ୍ଡ ମେଳା ଫେବୃୟାରୀ ୭ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ । ରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ହେବ ଓଡ଼ିଶା । ଯାହାକୁ ଦେଖିବା ସାରା ବିଶ୍ୱ । ଚଳିତ ବର୍ଷ ୧୨୦୦ ଷ୍ଟଲ ଭିତରୁ ଓଡ଼ିଶାର ୪୦ଟି ଷ୍ଟଲ ରହିବ । ଓଡ଼ିଶା ଷ୍ଟଲରେ ପ୍ରଦର୍ଶିତ ହେବ ଓଡ଼ିଶାର ପାରମ୍ପାରିକ ଖାଦ୍ୟ, କଳା, ସଂସ୍କୃତି, ନୃତ୍ୟ, ଗୀତ ଓ ହସ୍ତଶିଳ୍ପ ସହିତ ଐତିହ୍ୟର ଝଲକ । ଖାଲି ସେତିକି ନୁହେଁ ଓଡ଼ିଶାର ପ୍ରମୁଖ ପର୍ବପର୍ବାଣୀ ଯଥା ମାଣ ବସା ଗୁରୁବାର, ଦୋଳ ମଣ୍ଡପ ସହିତ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ଏବଂ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା ପ୍ରଦର୍ଶିତ ହେବା । ଏତଦ୍ ବ୍ୟତୀତ ମେଳାର ବିଭିନ୍ନ ସ୍ଥାନରେ ଓଡ଼ିଶାର ଚିତ୍ର, ଐତିହ ଗେଟ, କନ୍ଦର୍ପ ହାତୀ, ପିପିଲି ଗେଟ, ଟେରାକୋଟା, ଓ କୋଣାର୍କ ଚକ୍ର ସ୍ଥାନିତ ହେବ । ଭାରତ ବାହାରୁ ମଧ୍ୟ ୫୦ଟି ଦେଶର ଷ୍ଟଲ୍ ଏଥିରେ ପ୍ରଦର୍ଶିତ ହେବା ।
ଫେବୃୟାରୀ ୧୯ରେ ମେଳାରେ ଓଡ଼ିଶା ଦିବସ ପାଳନ ହେବ ବୋଲି ନିଷ୍ପତ୍ତି ହୋଇଛି । ଏଥିରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଯୋଗ ଦେବା ସହିତ ଓଡ଼ିଶୀ ନୃତ୍ୟଗୁରୁ ଅରୁଣା ମହାନ୍ତି ଏବଂ ଇଲିଆନା ସିତରିସ୍ତି ନୃତ୍ୟ ପରିବେଷଣ କରିବେ ।
ଓଡ଼ିଶାର ଷ୍ଟଲ୍ ଡିଜାଇନ୍ ଦାୟିତ୍ୱ ବିଶିଷ୍ଟ ଚିତ୍ରଶିଳ୍ପୀ ଗଜେନ୍ଦ୍ର ସାହୁଙ୍କ ଦିଆଯାଇଛି । ସେଥିପାଇଁ ସେ ଖୁସି ବ୍ୟକ୍ତ କରିବା ସହିତ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବର୍ତ୍ତମାନ ଓଡ଼ିଶା ସରକାର ପୁଣି ଥରେ ତାଙ୍କୁ ସୁରଜକୁଣ୍ଡରେ ଓଡ଼ିଶା ଥିମ ରାଜ୍ୟର ଡିଜାଇନ୍ କରିବାକୁ ଦେଇଥିବାରୁ ସେ ଅତ୍ୟନ୍ତ ଖୁସି ଅନୁଭବ କରିଛନ୍ତି ।