ଭୁବନେଶ୍ୱର: ରାଜ୍ୟରେ ଏବେ ଉପରମୁହାଁ କରୋନା ସଂକ୍ରମଣ । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତକାଲି(ଶନିବାର)ଯାଏଁ ୩୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି(ରବିବାର) ଆଉ ନୂଆ ୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୫କୁ ବୃଦ୍ଧି ପାଇଛି ।
ରାଜ୍ୟରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩ ରହିଛି । ବର୍ତ୍ତମାନ ସୁଦ୍ଧା ୧୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେଣି । ଏନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି । ସେପଟେ ଦେଶରେ ମଧ୍ୟ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ୨୪ ଘଣ୍ଟାରେ ଦେଶରେ ପିଜିଟିଭ୍ ମାମଲା ୬ ହଜାର ପାର୍ କରିଛି । ସେହିପରି ୨୪ ଘଣ୍ଟାରେ କରୋନାରେ ୬ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଗୋଟିଏ ପଟେ ଦେଶରେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ହସ୍ପିଟାଲ ଗୁଡ଼ିକରେ ପ୍ରର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ୍, ଆଇସିୟୁ ବେଡ୍, ଭେଣ୍ଟିଲେଟର ଓ ଆବଶ୍ୟକୀୟ ଔଷଧପତ୍ର ମହଜୁଦ ରଖିବାକୁ ରାଜ୍ୟ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ।