ଭୁବନେଶ୍ୱର: ଖଣିଜ ସମ୍ପଦରେ ପରିପୂର୍ଣ୍ଣ ଓଡ଼ିଶାରେ ରହିଛି ସୁନା ଖଣି । ଏ ନେଇ ଆଜି ବିଧାନସଭାରେ ସ୍ପଷ୍ଟ କରିଛନ୍ତି ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ପଚାରିଥିବା ପ୍ରଶ୍ନରେ ସ୍ପଷ୍ଟ କରିଛନ୍ତି ଖଣି ମନ୍ତ୍ରୀ । ଭୂତାତ୍ତ୍ୱିକ ବିଶେଷଜ୍ଞମାନେ ଦେବଗଡ଼ ଜିଲ୍ଲାରେ ସୁନାର ସନ୍ଧାନ ପାଇଥିବା ମନ୍ତ୍ରୀ କହିଛନ୍ତି ।
ଜିଓ ଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ (ଜିଏସଆଇ) ଏବଂ ଖଣି ଓ ଭୂତତ୍ତ୍ୱ ନିର୍ଦ୍ଦେଶାଳୟର ମିଳିତଭାବେ ଓଡ଼ିଶାର ବିଭିନ୍ନ ସ୍ଥାନରେ ସୁନାର ଅନୁସନ୍ଧାନ କରିଥିଲେ । ତେବେ ରାଜ୍ୟର ଏକାଧିକ ସ୍ଥାନରେ ସୁନା ଖଣି ଥିବା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଦେବଗଡ଼ ଜିଲ୍ଲାର ରିଆମାଳ ବ୍ଲକ ଆଡ଼ସ ପଞ୍ଚାୟତର ମାଟି ତଳେ ସୁନା ଥିବାର ଜିଏସଆଇ ସ୍ପଷ୍ଟ କରିଥିବା ମନ୍ତ୍ରୀ ଗୃହରେ ଉତ୍ତର ରଖିଛନ୍ତି । ତମ୍ବା ପଥର ଅନ୍ୱେଷଣବେଳେ ସୁନା ମିଳିଥିବା ମନ୍ତ୍ରୀ କହିଛନ୍ତି । ଏହି ଖଣି ଅଞ୍ଚଳକୁ ନିଲାମ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ସୁନାର ମାନ ଓ ମୂଲ୍ୟ ନିର୍ଦ୍ଧାରଣ ପରେ ନିଲାମ ହେବ ବୋଲି କହିଛନ୍ତି ମନ୍ତ୍ରୀ ବିଭୂତି ଜେନା ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତବର୍ଷ ଦେବଗଡ଼ ଓ କେନ୍ଦୁଝରରେ ସୁନା ଖଣିର ସନ୍ଧାନ ପାଇଥିଲା ଜିଏସଆଇ । ଦେବଗଡ଼ ରିଆମାଳ ବ୍ଲକ ଆଡ଼ସ ପଞ୍ଚାୟତର ମାଟି ତଳେ ୧୬୮୫ କିଲୋ ସୁନା ରହିଥିବା ଜିଏସଆଇ ଅନୁସନ୍ଧାନରୁ ଜଣା ପଡ଼ିଥିଲା । ୧୯୮୫ ମସିହାରୁ ଏହି ଅଞ୍ଚଳରେ ସୁନାଖଣି ସର୍ଭେ ଆରମ୍ଭ ହୋଇଥିଲା । ସେହିଭଳି କେନ୍ଦୁଝର ଜିଲ୍ଲାର ବାଂଶପାଳ ଓ ତେଲକୋଇ ବ୍ଲକରେ ସୁନାଖଣିର ସନ୍ଧାନ ମିଳିଥିଲା । ବାଂଶପାଳ ବ୍ଲକର ଗୋପୁର, ଗାଜିପୁର ଓ ତେଲକୋଇ ବ୍ଲକର ସଲେଇକେନା, ଡିମିରିମୁଣ୍ଡା ଓ କରଦାଙ୍ଗୀ ଗାଁର ମାଟିତଳେ ସୁନା ଥିବା ଅନୁମାନ କରାଯାଉଛି ।