ଭୁବନେଶ୍ୱର: ଶିକ୍ଷକ, ଅଧ୍ୟାପକ ଏବଂ କର୍ମଚାରୀମାନଙ୍କର ଦାବୀ ସମୂହର ଅନୁଶୀଳନ ନିମନ୍ତେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଅବସରପ୍ରାପ୍ତ ଆଇଏଏସ ଅଶୋକ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତା ଏହି କମିଟି ଗଠନ କରାଯିବ। ଉକ୍ତ କମିଟି ୬ ମାସ ମଧ୍ୟରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ। ଏନେଇ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, "ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚ ଶିକ୍ଷା ବିଭାଗ ଅଧିନରେ ବିଭିନ୍ନ ପ୍ରକାର ସରକାରୀ ଏବଂ ଅନୁଦାନପ୍ରାପ୍ତ ଓ ଅଣ- ଅନୁଦାନପ୍ରାପ୍ତ ବେସରକାରୀ ଶିକ୍ଷାନୁଷ୍ଠାନ ରହିଛି। ଏହି ଶିକ୍ଷାନୁଷ୍ଠାନ ଗୁଡିକର ବିଭିନ୍ନ ଶିକ୍ଷକ, ଅଧ୍ୟାପକ ଏବଂ କର୍ମଚାରୀ ସଂଘ ସେମାନଙ୍କର ବିଭିନ୍ନ ପ୍ରକାରର ଦାବୀ ସରକାରଙ୍କ ନିକଟରେ ଉପସ୍ଥାପନ କରିଆସୁଛନ୍ତି। ସେମାନଙ୍କର ଏହି ଦାବୀ ଉପରେ ବିଭିନ୍ନ ସମୟରେ ଆଲୋଚନା ମଧ୍ୟ କରାଯାଇଅଛି"।
ତେବେ ଏହାକୁ ରାଜ୍ୟ ସରକାର ଗୁରୁତ୍ଵର ସହ ବିଚାର କରି ଶିକ୍ଷକ/ ଅଧ୍ୟାପକ ଏବଂ କର୍ମଚାରୀମାନଙ୍କର ଦାବୀ ସମୂହର ଅନୁଶୀଳନ ନିମନ୍ତେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ଗୃହରେ ବିବୃତ୍ତି ରଖିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ବିଷୟକୁ ଗମ୍ଭୀରତାର ସହ ନେଇ, ରାଜ୍ୟ ସରକାର ସମସ୍ତ ଦାବିର ପୁଙ୍ଖାନୁପୁଙ୍ଖ ଅଧ୍ୟୟନ କରିବା ପାଇଁ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ଅଶୋକ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିବାକୁ ସଂକଳ୍ପ ନେଇଛନ୍ତି।
ଅଧିକ ପଢନ୍ତୁ: ବିଧାନସଭାରେ ଉଠିଲା ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା; ଫାଇଲ୍ ରିଓପନ କରିବାକୁ ବିଧାୟକ ପଦ୍ମ ଲୋଚନ ପଣ୍ଡା କଲେ ଦାବି