ଭୁବନେଶ୍ୱର: ଓଡ଼ିଆ ସିନେମା ଆଜି ୮୯ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ଅନେକ ଉତ୍ଥାନ ପତନ ଦେଇ ୯୦ ବର୍ଷରେ ପାଦ ଦେଇଛି ଓଡ଼ିଆ ଚଳଚ୍ଚିତ୍ର ଜଗତ । ୧୯୩୬ ମସିହା ଏପ୍ରିଲ ୨୮ ତାରିଖରେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ସୀତା ବିବାହ’ ପରଦାକୁ ଆସିଥିଲା ।
ଦେଶ ସ୍ୱାଧୀନ ହେବା ପୂର୍ବରୁ ଆରମ୍ଭ ହୋଇଥିବା ଚଳଚ୍ଚିତ୍ର ଯାତ୍ରା ନିରବଚ୍ଛିନ୍ନଭାବେ ଜାରି ରହିଛି । ସୀତା ବିବାହ କଳାଧଳାରେ ମୁକ୍ତିଲାଭ କରିଥିଲା । ଯୁଗ ପରିବର୍ତ୍ତନ ଏବଂ ଆଧୁନିକରଣ ମଧ୍ୟରେ ଓଡ଼ିଆ ସିନେମାରେ ମଧ୍ୟ ଉନ୍ନତି ଆସିଥିଲା । ଚଳଚ୍ଚିତ୍ର ମଧ୍ୟରେ ପ୍ରଥମ ଥର କରି ‘ଗପ ହେଲେ ବି ସତ’ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା । ଏହା ପରେ ଓଡ଼ିଆ ସିନେ ଜଗତ ଅନେକ ଛୋଟ ବଡ଼ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛି । ପୂର୍ବରୁ ସିନେମା ଘର ବ୍ୟତୀତ କେବଳ ଦୂରଦର୍ଶନରେ ସିନେମା ଦେଖିବାକୁ ସୁଯୋଗ ମିଳୁଥିଲା । ଯାହାକୁ ଦେଖିବାକୁ ଲୋକଙ୍କ ମଧ୍ୟରେ ନାହିଁ ନ ଥିବ ଉତ୍କଣ୍ଠା ଦେଖିବାକୁ ମିଳିଥିଲା । କିନ୍ତୁ ଧିରେ ଧିରେ ଓଡ଼ିଆ ଦର୍ଶକଙ୍କ ମନରୁ ଯେପରି ଏହାର ଛବି ମଳିନ ହେବାକୁ ବସିଲାଣି । ଅନ୍ୟ ଭାଷାର ଫିଲ୍ମକୁ କପି କରି କରିବା ଦ୍ୱାରା ଧିରେ ଧିରେ ଓଡ଼ିଆ ସିନେମା ତାର ଲୋକ ପ୍ରିୟତା ହରାଇଲାଣି ଏହା ସ୍ପଷ୍ଟ ଦେଖିବାକୁ ମିଳୁଛି । ପୂର୍ବରୁ ସିନେମା ଘର ସାମ୍ନାର ଲମ୍ବା ଧାଡ଼ି ଲାଗୁଥିଲା । କିନ୍ତୁ ବର୍ତ୍ତମାନ ଓଡ଼ିଆ ଚଳଚ୍ଚିତ୍ରକୁ ଦେଖିବାକୁ କାହାରି ମନରେ ଆଗ୍ରହ ନାହିଁ ।
ତେବେ ଧିରେ ଧିରେ ଚଳଚ୍ଚିତ୍ର ନିର୍ମାତାମାନେ ନିଜସ୍ୱ କାହାଣୀ ଉପରେ ଧ୍ୟାନ ଦେବା ଆରମ୍ଭ କରିଛନ୍ତି । ‘ଦମନ’ ଓ ‘ପାଦେ ଆକାଶ’ ଭଳି ବାସ୍ତବ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର ତିଆରି ହେବା ଦେଖାଯାଉଛି । ତେଣୁ ଓଡ଼ିଆ ସିନେମା ପୁଣି ଥରେ ତାର ଲୋକପ୍ରିୟତା ଫେରି ପାଇବ ସମସ୍ତ କଳାକାର, ନିର୍ମାତା, ନିର୍ଦ୍ଦେଶକ ଓ ଦର୍ଶକମାନେ ଆଶା ରଖିଛନ୍ତି ।
ତେବେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଆ ଚଳଚ୍ଚିତ୍ର ଦୁନିଆକୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି, “ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ଆଜି ଏକ ଗୁରୁତ୍ଵପୂର୍ଣ୍ଣ ଦିନ। ୧୯୩୬ ମସିହା ଆଜିର ଦିନରେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର "ସୀତା ବିବାହ" ମୁକ୍ତିଲାଭ କରିଥିଲା। ସେବେଠୁ ଆଜି ଯାଏଁ ଓଡ଼ିଆ ଚଳଚ୍ଚିତ୍ର ନୂତନ ପ୍ରଯୁକ୍ତି, କାହାଣୀ ବିବିଧତା ଏବଂ ବୈଶ୍ଵିକ ପରିଚୟ ସହିତ ଆଗକୁ ବଢ଼ୁଛି। ଓଡ଼ିଆ ଚଳଚ୍ଚିତ୍ର ପ୍ରକୃତପକ୍ଷରେ ଓଡ଼ିଶାର ସାଂସ୍କୃତିକ ଗରିମା, ଲୋକଜୀବନର ବର୍ଣ୍ଣିଳତା ଏବଂ ସମାଜର ଭାବନାକୁ ରୂପେଲି ପରଦାରେ ଅମର କରିଛି। ନିଜ ଉତ୍ସର୍ଗୀକୃତ କାର୍ଯ୍ୟ ଦ୍ୱାରା ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ସମୃଦ୍ଧ କରିଯାଇଥିବା ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କୁ ଆଜି ଶ୍ରଦ୍ଧାଞ୍ଜଳି ଜଣାଉଛି। ଓଡ଼ିଆ ଚଳଚ୍ଚିତ୍ର ଆଜି ୯୦ ବର୍ଷରେ ପାଦ ଦେଉଥିବାବେଳେ ଏହି ଗୌରବମୟ ଇତିହାସକୁ ସ୍ମରଣ କରି ସମସ୍ତ ଓଡ଼ିଆ ସିନେପ୍ରେମୀ, ଦର୍ଶକ, କଳାକାର, ନିର୍ଦ୍ଦେଶକ, ପ୍ରଯୋଜକ ଏବଂ ଓଡ଼ିଆ ଚଳଚ୍ଚିତ୍ର ସହ ଜଡ଼ିତ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ।”