ଭୁବନେଶ୍ୱର : ପୁଣି ପରୀକ୍ଷା ପ୍ରଶ୍ନପତ୍ରରେ ବାହାରିଲା ତ୍ରୁଟି । ଗତକାଲି ପରେ ଆଜି ପୁଣି ଭୁଲ ଦୋହରାଯାଇଛି । ସୋମବାର ଉତ୍କଳ ସ୍କଂସ୍କୃତି ବିଶ୍ୱବିଦ୍ୟାଳୟର ସପ୍ତମ ସେମିଷ୍ଟର ପରୀକ୍ଷାରେ ତ୍ରୁଟି ପରିଲକ୍ଷିତ ହୋଇଛି । ଭିଜୁଆଲ ଆର୍ଟର ୭୦୨ନଂ ପେପର ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ହୋଇଛି । ୧୦ଟି ପ୍ରଶ୍ନରୁ ୧୦ଟି ଯାକ ଭୁଲ୍ ଥିବା ପରୀକ୍ଷାର୍ଥୀମାନେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପରୀକ୍ଷାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବାତିଲ କରିଦେଇଛନ୍ତି ।
ସେହିପରି ଗତକାଲି ରବିବାର ମଧ୍ୟ ଗୋଟିଏ ଦିନରେ ୨ଟି ବଡ଼ ପରୀକ୍ଷାରେ ତ୍ରୁଟି ହୋଇଥିବା ସାମ୍ନାକୁ ଆସିଥିଲା। OSSC ସହ OPSC ପରିଚାଳିତ ପରୀକ୍ଷାରେ ତ୍ରୁଟି ପରିଲକ୍ଷିତ ହୋଇଥିଲା।OCS ମେନ୍-୨୦୨୩ର ଆନ୍ଥ୍ରୋପୋଲୋଜିର ୨ଟି ପେପର ପରୀକ୍ଷା ଥିଲା। ପୂର୍ବାହ୍ନ ୯ଟାରୁ ୧୨ଟା ଆନ୍ଥ୍ରୋପୋଲୋଜିର ପ୍ରଥମ ପେପର ପରୀକ୍ଷା ଥିଲା। ଅପରାହ୍ନ ୨ଟାରୁ ୫ଟା ଆନ୍ଥ୍ରୋପୋଲୋଜି ଦ୍ଵିତୀୟ ପେପର୍ ପରୀକ୍ଷା ଥିଲା। ମାତ୍ର ପ୍ରଥମ ପେପର ପରୀକ୍ଷାରେ କିଛି ପ୍ରଶ୍ନ ଦ୍ବିତୀୟ ପେପରରୁ ଆସିଥିଲା । ଦ୍ଵିତୀୟ ପେପର ପରୀକ୍ଷାରେ ପ୍ରଥମ ପେପର କିଛି ପ୍ରଶ୍ନ ଆସିଥିବା ସୂଚନା ମିଳି ଥିଲା । ତେବେ ପ୍ରଥମ ସିଟିଂ ପରୀକ୍ଷା ପରେ ପରୀକ୍ଷାର୍ଥୀ ଅସନ୍ତୋଷ ବ୍ୟକ୍ତ କରିଥିଲେ। ନୋଟିସ୍ ଜରିଆରେ ତ୍ରୁଟି ସ୍ୱୀକାର କରିଥିଲେ OPSC କର୍ତ୍ତୃପକ୍ଷ । ଆଉ ଏକ ପରୀକ୍ଷାର ବିକଳ୍ପ ଉପରେ ବିଚାର ହେଉଥିବା କର୍ତ୍ତୃପକ୍ଷ ଜଣାଇଛନ୍ତି । ମେ ୪ ତାରିଖ ଭିତରେ ପରାମର୍ଶ ଲୋଡ଼ି ନୋଟିସ୍ ଜାରି କରିଛନ୍ତି।ଛାତ୍ରଛାତ୍ରୀଙ୍କ ଜୀବନ ଓ ଭବିଷ୍ୟତ ସହ ଏପରି ଖେଳ କେବେ ବନ୍ଦ ହେବ ଏନେଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ସାଧାରଣରେ ଦାବି ହୋଇଛି ।
ଅନ୍ୟପକ୍ଷେ ଏହି ପ୍ରଶ୍ନପତ୍ର ବିଭ୍ରାଟକୁ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି ବିଭ୍ରାଟରେ ଯେଉଁ ବିଭାଗ ସଂଶ୍ଳିଷ୍ଟ ଅଛି ତଦନ୍ତ ହେବ । ଯିଏ ଦୋଷୀ ଛଡ଼ା ଯିବନି ବୋଲି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି । ଏସଂକ୍ରାନ୍ତୀୟ ବିଲ୍ ବିଧାନସଭାରେ ଆଇନରେ ପରିଣତ ହୋଇଛି ।