ଭୁବନେଶ୍ୱର: କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋମବାର ଦିନ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି । ଜିଲ୍ଲାର ବିଭିନ୍ନ ବିକାଶ କାର୍ଯ୍ୟ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇଛନ୍ତି ସାଂସଦ ଶ୍ରୀଯୁକ୍ତ ପଣ୍ଡା । ଜିଲ୍ଲାରେ ଲଜିଷ୍ଟିକ୍ ହବ୍, ଲୁଣାନଦୀ ଉପରେ ପ୍ରସ୍ତାବିତ ବ୍ୟାରେଜ୍, ମଲଟିସ୍ପେଶାଲିଟି ହସ୍ପିଟାଲ, ଶୀତଳ ଭଣ୍ଡାର ପ୍ରତିଷ୍ଠା ଓ ଖାଲି ପଡ଼ିଥିବା ସରକାରୀ ପଦବୀ ପୂରଣ ପାଇଁ ଦାବି କରିଛନ୍ତି ।
କେନ୍ଦ୍ରାପଡାର ତଳି ଅଞ୍ଚଳକୁ ଜଳମଗ୍ନ ହେବାରୁ ମୁକ୍ତ କରିବା ତଥା ବନ୍ୟା ନିୟନ୍ତ୍ରଣ ପାଇଁ ଲୁଣାନଦୀ ଉପରେ ଏକ ବ୍ୟାରେଜ ନିର୍ମାଣ କରାଯିବା ପାଇଁ ସାଂସଦ ପ୍ରସ୍ତାବ ଦେଇଛନ୍ତି । ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ଗହଗପାଟ ଅଞ୍ଚଳ, କେନ୍ଦ୍ରାପଡା-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବିସିବିଲପାଟ ଅଞ୍ଚଳରେ ବନ୍ୟା ଦ୍ୱାରା ଜଳମଗ୍ନ ହେଉଥିବା ଅଞ୍ଚଳ ଗୁଡିକୁ କିପରି ସୁରକ୍ଷିତ ରଖାଯାଇ ପାରିବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି ।
ସେହିପରି ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ଏକ ଚାରିଟେବୁଲ ମଲ୍ଟିସ୍ପେସାଲିଟି ହସ୍ପିଟାଲ ନିର୍ମାଣ ନିମନ୍ତେ ଜମି ଚିହ୍ନଟ ପାଇଁ ସାଂସଦ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି । କାରଣ ସତ୍ୟସାଇ ସେବା ସମିତି ପକ୍ଷରୁ କେନ୍ଦ୍ରାପଡାରେ ଏକ ହସ୍ପିଟାଲ ସ୍ଥାପନ ପାଇଁ ପ୍ରସ୍ତାବ ରହିଛି ।
ଏହା ସହିତ ଜିଲ୍ଲାରେ ଏକ ଲଜିଷ୍ଟିକ୍ସ ପାର୍କ ନିର୍ମାଣ, ଶୀତଳ ଭଣ୍ଡାର ପ୍ରତିଷ୍ଠା, ପାନୀୟ ଜଳ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା, ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଡାଙ୍ଗମାଳ ଅଞ୍ଚଳରେ ଇକୋ ଟୁରୁଜିମ, ଲଳିତଗିରିରେ ବୌଦ୍ଧ ପର୍ଯ୍ୟଟନକୁ ଆହୁରି ବ୍ୟାପକ କରିବା ସମ୍ପର୍କରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।
କେନ୍ଦ୍ରାପଡା ଜିଲ୍ଲାରେ ଖାଲି ପଡିଥିବା ସରକାରୀ ପଦବୀ ଗୁଡିକୁ ପୂରଣ କରିବା ପାଇଁ ଏହି ବୈଠକରେ ଆଲୋଚନା ହୋଇଥିବା ବେଳେ ଜିଲ୍ଲାରେ ଅନ୍ୟାନ୍ୟ ବିକାଶ ମୂଳକ କାର୍ଯ୍ୟ ବିଷୟରେ ଏହି ବୈଠକରେ ଆଲୋଚନା ହୋଇଛି ।
ଏହି ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ପ୍ରମୁଖ ଉପସ୍ଥିତ ଥିଲେ।