ଭୁବନେଶ୍ୱର: ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସ୍ସି) ଓ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ୍ (ଓଏସ୍ଏସ୍ସି) ଦ୍ୱାରା ପରିଚାଳିତ ଦୁଇଟି ପରୀକ୍ଷାରେ ତ୍ରୁଟି ଦେଖା ଦେବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ପରୀକ୍ଷାରେ ବିଭ୍ରାନ୍ତିର ତଦନ୍ତ କରାଯିବ । ଏଥିରେ ଯିଏ ଦୋଷୀ ଥିବ ତାକୁ ଛଡ଼ା ଯିବ ନାହିଁ । ଯେଉଁମାନେ ଦୋଷୀ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ।
ଏଠାରେ ପ୍ରକାଶ ଯୋଗ୍ୟ, ଗତକାଲି ଓଏସ୍ଏସ୍ସି ଓ ଓପିଏସ୍ସିର ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଓଏସ୍ଏସ୍ସିରେ ୨୧ଟି ଏସ୍ଆଇ ଟ୍ରାଫିକ ପଦବି ଓ ୧୦ଟି ଏସ୍ଆଇ ଏକ୍ସାଇଜ୍ ପଦବି ପାଇଁ ମିଳିତ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। କିନ୍ତୁ ସିଲାବସ୍ ବାହାରୁ ପ୍ରଶ୍ନ ପଡ଼ିଥିବା ନେଇ ପରୀକ୍ଷାର୍ଥୀ ଅଭିଯୋଗ କରିଥିଲେ । ସେହିପରି ଓପିଏସ୍ସି ପକ୍ଷରୁ ଆୟୋଜିତ ପରୀକ୍ଷାରେ ଆନ୍ଥ୍ରୋପୋଲଜିର ପେପର୍-୧ ଓ ପେପର୍-୨ ପ୍ରଶ୍ନପତ୍ର ଅଦଳବଦଳ ହୋଇଯାଇଥିଲା ।