ଗଞ୍ଜାମ: ପାରିବାରିକ କଳହର କରୁଣ ପରିଣତି । ଫିକା ପଡିଲା ରକ୍ତ ସମ୍ପର୍କ । ବଡ଼ଭାଇ ଆକ୍ରମଣରେ ସାନଭାଇର ମୃତ୍ୟୁ ହୋଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । ପୋଲିସର ତଦନ୍ତ ଜାରି କରିଛି ।
ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା ତାରାସିଙ୍ଗ ଥାନା ବ୍ରାହ୍ମଣ ପଦର ଗାଁରେ ଏକ ହୃଦୟବିଦାରକ ଘଟଣା ଘଟିଛି । କାଠ ଫାଳିଆରେ ବଡ଼ଭାଇ ସାନଭାଇର ଜୀବନ ନେଇଛି । ବ୍ରାହ୍ମଣ ପଦର ଗାଁର ବାଂଛା ଗୌଡ଼ଙ୍କ ବଡ଼ ପୁଅ ଶଙ୍କର ଓ ସାନ ପୁଅ ବଳରାମ । ସେମାନଙ୍କ ମଧ୍ୟରେ ଦିର୍ଘଦିନରୁ କଳହ ଲାଗିରହିଥିଲା । ସାନ ପୁଅ ବଳରାମ ଅନ୍ୟ ଜାତିର ଝିଅକୁ ବାହା ହୋଇଥିଲା । ଯେଉଁ କାରଣରୁ ତାଙ୍କୁ ଗାଁରୁ ବାହାର କରାଯାଇଥିଲା । ସେ ରଙ୍ଗ ମିସ୍ତ୍ରୀ କାମ କରି ନିଜ ପରିବାର ଚଳାନ୍ତି ।
ରବିବାର କୌଣସି କାମ ପାଇଁ ସାନ ଭାଇ ଗାଁକୁ ଆସିଥିଲେ । ସେଠାରେ ଦୁଇ ଭାଇଙ୍କ ମଧ୍ୟରେ ଝଗଡା ହୋଇଥିଲା । ଯାହା ପରବର୍ତ୍ତୀ ସମୟରେ ଉଗ୍ର ରୂପ ଧାରଣ କରିଥିଲା । ବଡ଼ଭାଇ ଶଙ୍କର ରାଗିଯାଇ କାଠ ଫାଳିଆରେ ସାନଭାଇ ବଳରାମଙ୍କୁ ଆକ୍ରମଣ କରିଥିଲେ । ଏହି ଘଟଣା ପରେ ଘଟଣାସ୍ଥଳରେ ହିଁ ସାନଭାଇ ବଳରାମର ମୃତ୍ୟୁ ହୋଇଯାଇଥିଲା । ଏନେଇ ପରିବାର ପକ୍ଷରୁ ପୋଲିସରେ ଅଭିଯୋଗ କରାଯାଇଥିଲା । ଅଭିଯୋଗକୁ ଭିତ୍ତି କରି ପୋଲିସ ବଡ଼ଭାଇ ଶଙ୍କରକୁ ଅଟକ ରଖିବା ସହିତ କାଠ ଫାଳିଆକୁ ମଧ୍ୟ ଜବତ କରି ଘଟଣାର ତଦନ୍ତ ଜାରି କରିଛି ।