ଭୁବନେଶ୍ୱର: ଆଗାମୀ ଶିକ୍ଷା ବର୍ଷ ୨୦୨୫-୨୬ ନିମନ୍ତେ ବି. ଏଡ଼୍, ଏମ. ଏଡ଼୍ ଏବଂ ବି.ଏଚ୍.ଏଡ଼୍ (B.Ed, M.Ed, B.H.Ed)ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା ପାଇଁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଓ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ନାମଲେଖା ପ୍ରକ୍ରିୟାକୁ ଶୀଘ୍ର ଆରମ୍ଭ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।
ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ବି. ଏଡ଼୍, ଏମ. ଏଡ଼୍ ଏବଂ ବି.ଏଚ୍.ଏଡ଼୍ ପାଠ୍ୟକ୍ରମରେ ନାମ ଲେଖା ପାଇଁ ଆସନ୍ତା ୨୪.୦୩.୨୦୨୫ରୁ ଅନଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ମାର୍ଚ୍ଚ ୨୪ ତାରିଖ ଠାରୁ ଆବେଦନକାରୀମାନେ ଫର୍ମପୂରଣ କରିପାରିବେ । ପ୍ରବେଶିକା ପରୀକ୍ଷା ଆସନ୍ତା ଜୁନ୍ ମାସ ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ। ଆସନ୍ତା ୨୪ ଜୁଲାଇ ସୁଦ୍ଧା ପାଠ୍ୟକ୍ରମ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି ।
ବିଗତ ବର୍ଷ ଭଳି ଆଗାମୀ ଶିକ୍ଷା ବର୍ଷ ପାଇଁ ମଧ୍ୟ ନାମଲେଖା ଏବଂ ଚୟନ ପ୍ରକିୟା ଏଥିପାଇଁ ଉଦ୍ଦିଷ୍ଟ ପ୍ରବେଶିକା ପରୀକ୍ଷାର ମାର୍କ ଆଧାରରେ ହିଁ କରାଯିବ । ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ସଠିକ ସମୟରେ ପାଠ୍ୟକ୍ରମ ଆରମ୍ଭ ହୋଇ ସଠିକ ସମୟରେ ପରୀକ୍ଷା କରାଯାଇ ଫଳାଫଳ ମଧ୍ୟ ଘୋଷଣା କରାଯାଇପାରିବ, ଯାହା ଦ୍ୱାରା ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରିବେ।