ନବରଙ୍ଗପୁରରେ ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଘଟିଥିବା ଏକ ନିର୍ମମ ହତ୍ୟାକାଣ୍ଡ ଏବେ ସାରା ଅଂଚଳରେ ଚାଂଚଲ୍ୟ ଖେଳାଇଦେଇଛି। ୧୯ ବର୍ଷୀୟ ଯୁବକ ଗୌରାଙ୍ଗ ମାଝିଙ୍କ ହତ୍ୟା ଘଟଣାରେ ପୋଲିସ ଜଣେ ନାବାଳିକାଙ୍କ ସମେତ ୧୨ ଜଣଙ୍କୁ ଗିରଫ କରିଛି।
ସୂଚନା ଅନୁସାରେ, ଉଦିତ ନାରାୟଣପୁର ଗାଁର ଗୌରାଙ୍ଗ ଏପ୍ରିଲ ୪ ତାରିଖରେ ପାଣିମୁଣ୍ଡା ଗାଁକୁ ଯାଇ ହଠାତ୍ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ଅନେକ ସ୍ଥାନରେ ଖୋଜାଖୋଜି କରିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିନଥିଲା। ଶେଷରେ ସେମାନେ ନର୍ଲା ଥାନାରେ ଅଭିଯୋଗ ଦାଖଲ କରିଥିଲେ।
ଏପ୍ରିଲ ୭ରେ ଗ୍ରାମବାସୀମାନେ ପାଣିମୁଣ୍ଡାର ଗୋଟିଏ ପୁରୁଣା କୁଆଁରୁ ଗୌରାଙ୍ଗଙ୍କ ମୃତଦେହ ଉଦ୍ଧାର କରିଥିଲେ। ଏହା ପରେ ଘଟଣାରେ ନୂଆ ମୋଡ଼ ଆସିଥିଲା। ମୃତକଙ୍କ ପିତା ଦୀନବନ୍ଧୁ ମାଝି ପ୍ରେମ ସମ୍ପର୍କକୁ ନେଇ ତାଙ୍କ ପୁଅଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ।
ପୋଲିସ ତଦନ୍ତ ଆରମ୍ଭ କରିବା ପରେ ଘଟଣାର ପରଦାଫାସ ହୋଇଥିଲା। ତଦନ୍ତରୁ ଜଣାପଡିଲା ଯେ, ପ୍ରେମ ସମ୍ପର୍କକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି। ପୋଲିସ କାର୍ଯ୍ୟାନୁଷ୍ଠାନ ସ୍ୱରୂପ୧୨ ଜଣଙ୍କୁ ଗିରଫ କରିଛି, ଜଣେ ନାବାଳିକା ସହ ମଧ୍ୟ ଅଛନ୍ତି। ଏହି ଘଟଣା ପୁଣିଥରେ ସମାଜରେ ପ୍ରେମ ସମ୍ପର୍କକୁ ନେଇ ଘଟୁଥିବା ହିଂସାକୁ ସାମ୍ନାକୁ ଆଣିଛି।