ଭୁବନେଶ୍ୱର: ଆଜି ହେଉଛି ରାଜ୍ୟ ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ । ୭୭ ଯାତ୍ରା ସଫଳତାର ସହ ପୂରଣ କରି ୭୮ ବର୍ଷରେ ପାଦ ଥାପିଛି ଭୁବନେଶ୍ୱର ସହର । କିନ୍ତୁ ଏହି ପ୍ରତିଷ୍ଠା ଦିବସରେ ରାଜନୀତି ତେଜିଛି । ନିମନ୍ତ୍ରଣକୁ ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ମେୟର ସୁଲୋଚନା ଦାସଙ୍କ ମଧ୍ୟରେ କଥାକଟି ହୋଇଛି ।
ସାଂସଦ ଷଡ଼ଙ୍ଗୀ କହିଛନ୍ତି ଯେ ବିଗତ ସରକାର ସମୟରେ ଭୁବନେଶ୍ୱର ପ୍ରତିଷ୍ଠା ଦିବସରେ ତାଙ୍କୁ ନିମନ୍ତ୍ରଣ କରାଯାଉନଥିଲା । ଏକଥା ସମସ୍ତେ ଜାଣନ୍ତି । କିନ୍ତୁ ଆମ ସରକାର ଆସିବା ପରେ ତାଙ୍କୁ ନିମନ୍ତ୍ରଣ କରାଯାଇଛି । ଯେଉଁଥିପାଇଁ ସେ ବହୁତ ଖୁସି ମଧ୍ୟ ଅଛନ୍ତି । ଏଥିପାଇଁ ସରକାର ଏବଂ ମେୟରଙ୍କୁ ଧନ୍ୟବାଦ ଜଣାଇଛନ୍ତି ସାଂସଦ । ସେ ଆହୁରି କହିଛନ୍ତି, ଭୁବନେଶ୍ୱର ସହିତ ତାଙ୍କର ଭାବନାତ୍ମକ ସମ୍ପର୍କ ରହିଛି । ପ୍ରତ୍ୟେକ ବର୍ଷ ଏପ୍ରିଲ ୧୩ରେ ରାଜଧାନୀ ପ୍ରତିଷ୍ଠା ଦିବସ ପାଳିତ ହେବ,ସେତେବେଳେ ସେ ଯେଉଁଠି ଥିଲେ ବି ଆସିକି ଯୋଗ ଦେବେ ।
ସାଂସଦଙ୍କ ଏଭଳି ଅଭିଯୋଗକୁ ଅତ୍ୟନ୍ତ ଦୁଃଖଦ କଥା କହିଛନ୍ତି ମେୟର ସୁଲୋଚନା ଦାସ । ମେୟର ସାଂସଦଙ୍କ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ ଯେବେଠାରୁ ସେ ମେୟର ହୋଇଛନ୍ତି ସେବେଠାରୁ ଗତ ୪ ବର୍ଷ ହେଲା ନିମନ୍ତ୍ରଣ କରାଯାଉଛି । କିନ୍ତୁ ସେ ଅଲଗା କାମରେ ସହରରୁ ବାହାରେ ଥାଆନ୍ତି ଆସିପାରନ୍ତି ନାହିଁ । ଗତ ବର୍ଷେ ସେ ନିଜେ ସାଂସଦଙ୍କ ସହିତ ଫୋନରେ କଥା ହୋଇଥିଲେ । କିନ୍ତୁ ସେ ଆସିନ ଥିଲେ । ଯେତେ କାମ ରହିଲେ ମଧ୍ୟ ସାଂସଦ ସମୟ ବାହାର କରି ରାଜଧାନୀ ପ୍ରତିଷ୍ଠା ଦିବସରେ ଆସିବା ଜରୁରୀ । ଭୁବନେଶ୍ୱର ପ୍ରଥମେ ଅନ୍ୟ ସବୁ କାମ ପରେ ବୋଲି କହିଛନ୍ତି ସୁଲୋଚନା ।