ସମ୍ବଲପୁର ସହରରେ ହନୁମାନ ଜୟନ୍ତୀକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସହରରେ ଯେମିତି ଅଶାନ୍ତିକର ପରିସ୍ଥିତି ସ୍ତୃଷ୍ଟି ନ ହେବ, ଏହାକୁ ନଜରରେ ରଖି ସହରକୁ ପ୍ରାୟ ପୋଲିସ ଛାଉଣୀ କରାଯାଇଛି। ବିଭିନ୍ନ ଥାନା ପକ୍ଷରୁ ୧୦୭ ଧାରାରେ ଏକାଧିକ ଲୋକଙ୍କୁ ନୋଟିସ୍ ଜାରି କରାଯାଇଥିବା ବେଳେ, ଆଇନ-ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଛି।
ଆସନ୍ତାକାଲି ହନୁମାନ ଜୟନ୍ତୀ ଅବସରରେ ପ୍ରାୟ ୫୦ ହଜାର ଭକ୍ତଙ୍କ ସମାଗମ ଆଶା କରାଯାଉଥିବାରୁ ସୁରକ୍ଷାକୁ ନେଇ କୌଣସି ଅବହେଳା ନ ହେବାକୁ ଜିଲ୍ଲା ପୋଲିସ ଏ ଦିଗରେ ପୁରା ସଚେତନ ରହିଛି। ସହରରେ ୪୭ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ୩ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ ହୋଇଛନ୍ତି। ବିଏସଏଫ୍, ସିଆରପିଏଫ୍, ରାପିଡ୍ ଆକ୍ସନ ଫୋର୍ସ ଓ ରାଜ୍ୟ ସଶସ୍ତ୍ର ବାହିନୀ ମଧ୍ୟ ସୁରକ୍ଷାରେ ନିୟୋଜିତ ରହିବେ।
ଆଇଜି ହିମାଂଶୁ ଲାଲ ଓ ଏସ୍ପି ମୁକେଶ ଭାମୁଙ୍କ ନେତୃତ୍ୱରେ ପୁରା ସହରରେ କଡ଼ା ନଜର ରଖାଯାଉଛି। ମୋତିଝରଣ, ସୁନାପାଲି, ଧନକଉଡ଼ା, କୁମ୍ଭାରପଡ଼ା ସହିତ ଅନେକ ସମ୍ବେଦନଶୀଳ ଅଞ୍ଚଳରେ ବିଶେଷ ଫୋର୍ସ ମୁତୟନ ହୋଇଛି। ରାଲି ଯିବା ରାସ୍ତାଗୁଡ଼ିକୁ ସୁରକ୍ଷାକୁ ମଧ୍ୟ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଛି।
ସୁରକ୍ଷାକୁ ଆହୁରି ମଜବୁତ କରିବା ପାଇଁ ୧୦ଟି ଡ୍ରୋନ୍ କ୍ୟାମେରା, ୧୬୦ଟି ସିସିଟିଭି କ୍ୟାମେରା ଓ ଅତ୍ୟାଧୁନିକ ନିରୀକ୍ଷଣ ବାହନ ମୁତୟନ କରାଯାଇଛି। ଗତ କିଛି ଦିନ ଧରି ପୋଲିସ ପକ୍ଷରୁ ଫ୍ଲାଗ୍ମାର୍ଚ୍ଚ କରାଯାଇ ସହରବାସୀଙ୍କୁ ସଚେତନ କରାଯାଇଛି। ସମସ୍ତ ପ୍ରସ୍ତୁତି ମଧ୍ୟରେ ପୋଲିସର ଲକ୍ଷ୍ୟ ହେଉଛି, ହନୁମାନ ଜୟନ୍ତୀ ଶାନ୍ତିପୂର୍ଣ୍ଣ ଭାବେ ପାଳନ ହେଉ ଓ ସହରରେ ଶାନ୍ତି-ଶୃଙ୍ଖଳା ବଜାୟ ରହୁ।