ଭୁବନେଶ୍ୱର: ରାଜ୍ୟରେ ଏବେ ଗ୍ରୀଷ୍ମ ପ୍ରବାହ ଭୟଙ୍କର ରୂପ ନେଇଛି। ଗରମ ଓ ଗୁଳୁଗୁଳି ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରୁଛି। ଆସନ୍ତା ୫ ଦିନ ମଧ୍ୟରେ ତାପମାତ୍ରା ୪୫ ଡିଗ୍ରୀ ସେଲସିଅସ୍ ପର୍ଯ୍ୟନ୍ତ ବଢିବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହା ସହିତ India Meteorological Department (ଆଇଏମଡି) ପକ୍ଷରୁ ଆସନ୍ତା ୭ ଦିନ ପାଇଁ ଯେଲୋ ଆଲର୍ଟ ଜାରି କରାଯାଇ ସତର୍କ କରାଯାଇଛି।
ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି, ଏପ୍ରିଲ ୧୭ ପର୍ଯ୍ୟନ୍ତ ରାଜ୍ୟର କୋଷ୍ଟାଲ୍ ଓ ଭିତର ଅଞ୍ଚଳରେ ଭୟଙ୍କର ଗରମ ଓ ଅଧିକ ଆର୍ଦ୍ରତା ଅନୁଭବ ହେବ। ଏହି ସମୟରେ କୌଣସି ବଡ଼ ପରିମାଣର ବର୍ଷା ଆଶା କରାଯାଉନାହିଁ।
ଏପର୍ଯ୍ୟନ୍ତ ଭୁବନେଶ୍ୱର, କଟକ ସହିତ ପଶ୍ଚିମ ଓଡିଶାର ସମ୍ବଲପୁର ଓ ଝାରସୁଗୁଡା ଭଳି ସହରଗୁଡ଼ିକରେ ତୀବ୍ର ଗ୍ରୀଷ୍ମ ପ୍ରଭାହ ଅନୁଭବ ହେଉଛି। ଶୁଷ୍କ ଉତ୍ତର-ପଶ୍ଚିମ ପବନ ଓ ସ୍ପଷ୍ଟ ଆକାଶ ହେତୁ ତାପମାତ୍ରା ଲଗାତାର ବୃଦ୍ଧି ପାଉଛି।
ଦିନକ୍ରମ ଅନୁଯାୟୀ, ଏପ୍ରିଲ ୧୩ ଓ ୧୪ ତାରିଖରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା ଭଳି କୋଷ୍ଟାଲ୍ ଜିଲ୍ଲାରେ ତାତି ବଢିବା ସହ ଗୁଳୁଗୁଳି ଅନୁଭୂତ ହେବ। ଏପ୍ରିଲ ୧୫ ରୁ ୧୯ ପର୍ଯ୍ୟନ୍ତ ବଲାଙ୍ଗୀର, କନ୍ଧମାଳ, ଝାରସୁଗୁଡ଼ା ଓ ସମ୍ବଲପୁର ଭଳି ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଅଧିକ ହେବାର ସମ୍ଭାବନା ରହିଛି। ଏହି ସମୟରେ ଆଭ୍ୟନ୍ତରୀଣ ଓଡିଶାରେ ଅଧିକ ସତର୍କତା ଜରୁରୀ ବୋଲି ଆଇଏମଡି ସଚେତନ କରିଛି।
ସେହିପରି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ସତର୍କତା ଜାରି କରାଯାଇଛି। ଦିନର ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ଲୋକମାନଙ୍କୁ ପ୍ରଚୁର ପାଣି ପେଇବା ସହ ହାଲୁକା ପୋଶାକ ପିନ୍ଧିବା ଓ ହିଟ୍ଷ୍ଟ୍ରୋକ୍ରୁ ରକ୍ଷା ପାଇଁ ସତର୍କ ରହିବାକୁ କୁହାଯାଇଛି।
ତାତି ବୃଦ୍ଧି ହେତୁ ଲୋକଙ୍କ ଦୈନନ୍ଦିନ ଜୀବନରେ ଏହା ବ୍ୟାପକ ପ୍ରଭାବ ପକାଇଛି। ବିଶେଷକରି ବାହାରେ କାମ କରୁଥିବା ଶ୍ରମିକ ଓ ଯାତ୍ରୀମାନେ ଅଧିକ କଷ୍ଟର ସମ୍ମୁଖୀନ ହେଉଛନ୍ତି। ପ୍ରଚଣ୍ଡ ରୌଦ୍ର ତାପ ଯୋଗୁଁ ଜନଜୀବନ ଅସ୍ତଵ୍ୟସ୍ତ ହୋଇପଡିଛି।