ଭୁବନେଶ୍ୱର: ଗତ ଶନିବାର ପାତ୍ରପଡା V2 ନିକଟରେ ହୋଇଥିବା ସଡକ ଦୁର୍ଘଟଣାରେ ପ୍ରଥମେ କୁନି ଝିଅ ଓ ପରେ ମା'ର ମୃତ୍ୟୁ ହେବା ପରେ ସବୁଠି ଶୋକର ଛାୟା ଖେଳିଯାଇଛି । ଏହି ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକେ ରାସ୍ତା ମଧ୍ୟ ଅବରୋଧ କରିଥିଲେ । ଏହି ଦୁର୍ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାଣି ସାରିବା ପରେ ଗଭୀର ଶୋକ ପ୍ରକାଶ କରି ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାରକୁ ୮ ଲକ୍ଷର ସହାୟତା ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି (CMRF)ରୁ ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରାଯାଇଛି ।
ସୂଚନା ଯୋଗ୍ୟ, ମାଆ, ଝିଅ ଓ ପୁଅ ରାସ୍ତା ପାରି ହେଉଥିବା ସମୟରେ ଏକ ‘ଥାର୍’ ଓ ଏକ ସ୍କର୍ପିଓ ରେସିଂ କରୁଥିବା ବେଳେ ମାଆ-ପୁଅ ଓ ଝିଅକୁ ଧକ୍କା ଦେଇଥିଲେ । ଦୁର୍ଘଟଣାରେ କୁନି ଝିଅର ମୃତ୍ୟୁ ହୋଇଥିବା ବେଳେ ମାଆ ଓ ପୁଅ ଗୁରୁତର ହୋଇ ଚିକିତ୍ସିତ ହେଉଥିଲେ । ଗତକାଲି ମା'ର ମଧ୍ୟ ମୃତ୍ୟୁ ହୋଇଯାଇଛି । ରବିବାର ‘ଥାର୍’କୁ ଖଣ୍ଡଗିରି ପୋଲିସ୍ ଜବତ କରିଥିଲା । ଗାଡ଼ିଟିକୁ ଜଟଣୀ ଥାନା ଅଞ୍ଚଳରେ ଛାଡ଼ି ଫେରାର୍ ହୋଇଯାଇଛି ଗାଡ଼ି ଚାଳକ । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।