ନୂଆଦିଲ୍ଲୀ: ପାକିସ୍ତାନ ପୂର୍ବତନ ବିଦେଶ ମନ୍ତ୍ରୀ ବିଲାବଲ ଭୁଟ୍ଟୋଙ୍କୁ ଯେତେବେଳେ ସୁଯୋଗ ମିଳେ ସେତେବେଳେ ଭାରତ ବିରୋଧରେ କହିବାକୁ ଟିକେ ବି ସଙ୍କୋଚ ବୋଦ୍ଧ କରନ୍ତି ନାହିଁ । ବାରମ୍ବାର ଭାରତକୁ ଫମ୍ପା ଧମକ ଦିଅନ୍ତି । ଆଉ ଏହାର ଜବାବ ଦେଇଛନ୍ତି ବିଜେପି ସାଂସଦ ତଥା ଅଭିନେତା ମିଥୁନ ଚକ୍ରବର୍ତ୍ତୀ ।
ବିଲାବଲ ସିନ୍ଧୁ ନଦୀକୁ ନେଇ ଦେଇଥିବା ମନ୍ତବ୍ୟର ପ୍ରତିକ୍ରିୟାରେ ମିଥୁନ କହିଛନ୍ତି, ଯଦି ଏମିତି କଥା କହିବେ ଏବଂ ଆମର ମୁଣ୍ଡ ଖପୁରୀ ବିଗିଡ଼ିଗଲେ ଆମେ ଗୋଟିଏ ପରେ ଗୋଟିଏ ବ୍ରହ୍ମୋସ୍ ପକାଇବୁ । ପାକିସ୍ତାନ ଜନତା ପାଇଁ ମୁଁ କିଛି କହିବାକୁ ଚାହୁଁ ନାହିଁ । ପାକିସ୍ତାନର ଜନତା ବହୁତ ଭଲ ଲୋକ, ସେମାନେ ଯୁଦ୍ଧ ଚାହାଁନ୍ତି ନାହିଁ । କିନ୍ତୁ ତାଙ୍କର ନେତା ଯଦି କହିବା ଚାଲୁ ରଖିବେ ତେବେ ଆମର ମୁଣ୍ଡ ଖରାପ ହୋଇଯିବ । ପୁଣି ବ୍ରହ୍ମୋସ୍ ଚାଲିବ । ଯଦି କିଛି ନ ହେବ ତେବେ ଆମେ ଡ୍ୟାମ୍ ବନାଇବୁ ଏବଂ ୧୪୦ କୋଟି ଲୋକ ପରିସ୍ରା କରିବେ । ଗୁଳି ଚାଲିବ ନାହିଁ । ପରିସ୍ରାରେ ହିଁ ପାକିସ୍ତାନରେ ସୁନାମୀ ଆସିବ ବୋଲି ଅତି ତାଚ୍ଛଲ୍ୟ କରିଛନ୍ତି ମିଥୁନ ।
ସୂଚନାଯୋଗ୍ୟ, ବିଲାୱଲ ଭୁଟ୍ଟୋ ସିନ୍ଧୁ ନଦୀ ଉପରେ ଏକ ମନ୍ତବ୍ୟ ଦେଇ କହିଥିଲେ ଯେ ସିନ୍ଧୁ ନଦୀ ଉପରେ ଭାରତ ଯଦି ଡ୍ୟାମ୍ ବନାଏ, ତାହା ପାକିସ୍ତାନର ଜଳ ସୁରକ୍ଷା ପାଇଁ ବିପଦ ଅଟେ । ପାକିସ୍ତାନର “ଇତିହାସ, ସଂସ୍କୃତି ଓ ସଭ୍ୟତା” ଉପରେ, ବିଶେଷତଃ ସିନ୍ଧ ଉପରେ ଆକ୍ରମଣ ଅଟେ । ପହଲଗାମ ଆକ୍ରମଣ ପରେ ଭାରତ ସିନ୍ଧୁ ଜଳ ଚୁକ୍ତିକୁ ବାତିଲ କରିଛି । ସମସ୍ତ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବନ୍ଦ ନ କଲାଯାଏ ଏହି ଚୁକ୍ତି କାର୍ଯ୍ୟକ୍ଷମ ହେବ ନାହିଁ ବୋଲି ଭାରତ ସଫା ସଫା ଶୁଣାଇ ଦେଇଛି ।