ଭୁବନେଶ୍ୱର: ବିଜୁ ଜନତା ଦଳର ସରକାର ସମୟରେ ରାଜ୍ୟରେ ମହିଳା ନିର୍ଯ୍ୟାତନାର କ୍ୟାନସର ବ୍ୟାପିଥିଲା । ଆଉ ଏହି କ୍ୟାନସରକୁ ମୋହନ ଚରଣ ମାଝୀ ସର୍ଜରୀ ଓ କେମୋ ଦ୍ୱାରା ଏହାକୁ ନିରାକରଣ କରୁଛନ୍ତି । ତେଣୁ କେବଳ ଟୁଇଟ୍ ନ କରି ସାମ୍ନାକୁ ଆସିବାକୁ ବିଜେଡ଼ି ସୁପ୍ରିମୋଙ୍କୁ ଆହ୍ୱାନ କରିଛନ୍ତି ବିଜେପି ମୁଖପାତ୍ର ମନୋଜ ମହାପାତ୍ର ।
ବିଜେପି ମୁଖପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କଟୁ ଭାଷାରେ ବିଜେଡ଼ିକୁ ସାମଲୋଚନା କରିଛନ୍ତି । ମନୋଜ ମହାପାତ୍ର କହିଛନ୍ତି ବିଜେଡିର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ରାଜନଗର ଯାଇଛନ୍ତି । ଭଲ କଥା । କେହି ଦେହରେ ନିଆଁ ଲଗାଇଲା ପରି ଚରମ ନିଷ୍ପତ୍ତି ନିଅନ୍ତୁ ନାହିଁ । ମୁଖ୍ୟମନ୍ତ୍ରୀ ମଧ୍ୟ ନିଜେ ଏ ନେଇ ଅପିଲ କରିଛନ୍ତି । ଆମେ ମଧ୍ୟ ତାଙ୍କୁ ଅପିଲ କରୁଛୁ । କିନ୍ତୁ ଏବେ ଅଭିଯୋଗ କରୁଥିବା ବିଜେଡ଼ିର ୨୪ ବର୍ଷ ଶାସନରେ ଏହା କ୍ୟାନ୍ସର ପରି ବ୍ୟାପିଥିଲା। ପ୍ରତ୍ୟେକ ଦିନ ୯ ଜଣ ମହିଳା ନିର୍ଯ୍ୟାତନାର ଶିକାର ହେଉଥିଲେ । ମୋହନ ମାଝୀଙ୍କ ଦୃଢ଼ ନେତୃତ୍ୱ ପାଇଁ ଏହା ୯ରୁ ୬କୁ ଖସି ଆସିଛି ।
ଏହା ପୂର୍ବରୁ କୁନ୍ଦୁଲିରେ ମଧ୍ୟ ଜଣେ ଦଳିତ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିଲା । ତତ୍କାଳୀନ ସାଂସଦ ବିଷ୍ଣୁ ଦାସଙ୍କୁ କୁନ୍ଦୁଲି ପଠାଇଥିଲେ । ସେ ଦୁଷ୍କର୍ମ ହୋଇଥିବା ରିପୋର୍ଟ ଦାଖଲ କରିବାରୁ ସାଂସଦ ପଦରୁ ହଟାଇଦେଲେ । ସେ କଥାକୁ ଭୁଲି ଯାଉଛନ୍ତି । ସେତେବେଳେ କାହିଁକି ଟୁଇଟ କଲେ ନାହିଁ ନବୀନ ? ନବୀନ ଟୁଇଟ୍ କରୁଛନ୍ତି ନା ଆଉ କିଏ ଟୁଇଟ୍ କରୁଛନ୍ତି ତାହା ପ୍ରଥମେ ସ୍ପଷ୍ଟ କରନ୍ତୁ । ନବୀନ ବାବୁ ଏବେ ନିଘୋଡ଼ ନିଦରେ କାଚ ଘରେ ରହିଛନ୍ତି । ନାମକୁ ମାତ୍ର ଲୋକେ ଜାଣିଛନ୍ତି ସେ ସୁପ୍ରିମୋ, କିନ୍ତୁ ଲୋକ ତାଙ୍କୁ ଖୋଜି ପାଉ ନାହାଁନ୍ତି । ଏବେ ଅନ୍ୟଦ୍ୱାରା ଖାଲି ଟୁଇଟ ନ କରି ନିଜେ ସାମ୍ନାକୁ ଆସନ୍ତୁ ।
ଖାଲି ସେତିକି ନୁହେଁ ବିଜେପି ଆହୁରି ଦମ୍ଭର ସହ କହିଛି, ଯେତେ ଘଟଣା ଘଟିଛି ତାହା ସାମାଜିକ ସ୍ତରରେ ଘଟିଛି । କିନ୍ତୁ କୌଣସି ବଡ଼ ନେତା କିମ୍ବା ପ୍ରଶାସନିକ ଅଧିକାରୀଙ୍କ ବିରୁଦ୍ଧରେ ମାମଲା ଆସିନାହିଁ । ଆସିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କିନ୍ତୁ ବିଜେଡ଼ି ସରକାର ସମୟରେ ତତ୍କାଳୀନ ବାଚସ୍ପତି ଓ ମନ୍ତ୍ରୀଙ୍କ ନାମରେ ଅଭିଯୋଗ ଆସିଥିଲା । ଆଉ ତତ୍କାଳୀନ ସରକାର ତାଙ୍କ ଶଙ୍ଖ ଆଢ଼ୁଆଳରେ ସୁରକ୍ଷା ଦେଉଥିଲେ ବୋଲି କହିଛି ବିଜେପି ।