ଭୁବନେଶ୍ୱର: ରାଜ୍ୟରେ ସଡ଼କ ଦୁର୍ଘଟଣା ଏକ ଭୟାବହ ରୂପ ଧାରଣ କଲାଣି । ବିଗତ ୫ ବର୍ଷ ମଧ୍ୟରେ ୫୫ ହଜାରୁ ଅଧିକ ସଡ଼କ ଦୁର୍ଘଟଣା ଘଟିଛି, ଆଉ ଏଥିରେ ହଜାର ହଜାର ଲୋକ ମଧ୍ୟ ପ୍ରାଣ ହରାଇଲେଣି । ଗୁରୁବାର ବିଧାନସଭାରେ ସଡ଼କ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ରଖିଥିବା ଉତ୍ତରରୁ ଏହା ସ୍ପଷ୍ଟ ହୋଇଛି ।
ସଡ଼କ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗୃହରେ ରଖିଥିବା ତଥ୍ୟ ଅନୁଯାୟୀ, ରାଜ୍ୟରେ ସଡ଼କ ଦୁର୍ଘଟଣା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ୨୦୨୩ରେ ରାଜ୍ୟରେ ମୋଟ ୧୨ ହଜାର ୫୨ଟି ସଡ଼କ ଦୁର୍ଘଟଣା ହୋଇଛି । ସଡ଼କ ଦୁର୍ଘଟଣାରେ ୫ ହଜାର ୬୯୬ ଜଣ ପ୍ରାଣ ହରାଇଥିବାବେଳେ ଆଉ ଆହତ ହୋଇଛନ୍ତି ୧୦ ହଜାର ୪୧୯ ଜଣ । ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୪୪୮ ଜଣଙ୍କର ମୃତ୍ୟୁ ହୋଇଛି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେହିପରି ୨୦୧୯ରୁ ୨୦୨୩ ପର୍ଯ୍ୟନ୍ତ ମାନେ ୫ ବର୍ଷ ମଧ୍ୟରେ ମୋଟ ୫୫ ହଜାର ୫୮୦ଟି ସଡକ ଦୁର୍ଘଟଣା ହୋଇଛି । ଯାହା ଦ୍ୱାରା ଗତ ୫ ବର୍ଷ ମଧ୍ୟରେ ୨୬ ହଜାର ୩୨୫ ଜଣ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।