ଭୁବନେଶ୍ୱର: ରାଜଧାନୀରେ ମାତିଛନ୍ତି ଏଟିଏମ୍ ଲୁଟେରା । ଗୁରୁବାର ବିଳମ୍ବିତରେ ଭୁବନେଶ୍ୱର ସାମନ୍ତରାପୁରସ୍ଥିତ ଶ୍ରୀରାମ ନଗର ଅଞ୍ଚଳରେ ଥିବା ଏସବିଆଇ ଏଟିଏମ୍ ମେସିନକୁ ତାଡ଼ି ନେଇଯାଇଛନ୍ତି ଦୁର୍ବୃତ୍ତ । ଉକ୍ତ ଏଟିଏମ ମେସିନକୁ ଲିଙ୍ଗରାଜ ଥାନା ପୋଲିସ୍ ଏକ ନାଳରୁ ଉଦ୍ଧାର କରିଛି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଗତକାଲି ରାତିରେ ଦୁଇ ଜଣ ଦୁର୍ବୃତ୍ତ ସାମନ୍ତରାପୁର ଶ୍ରୀରାମ ନଗର ଅଞ୍ଚଳରେ ଥିବା ଏକ ଏଟିଏମ ମେସିନକୁ ତାଡ଼ି ନେଇଛନ୍ତି । ଏକ ଶାବଳ ସାହାଯ୍ୟରେ ଏଟିଏମ ମେସିନକୁ ଚାଡ଼ି ନେଇଛନ୍ତି । ଲିଙ୍ଗରାଜ ଥାନା ପୋଲିସ ଖବର ପାଇବା ପରେ ଯାଞ୍ଚ ଆରମ୍ଭ କରିଥିଲା । ପୋଲିସ ବିଭିନ୍ନ ସ୍ଥାନରେ ଛାନଭିନ୍ କରି ଏଟିଏମ ମେସିନକୁ ଗଙ୍ଗୁଆ ନାଳରୁ ଉଦ୍ଧାର କରିଛି । ଏଟିଏମରୁ ଟଙ୍କା ନେବା ପରେ ନାଳରେ ଫୋପାଡ଼ି ଫେରାର ହୋଇଯାଇଛନ୍ତି । ସେମାନେ ଏଟିଏମରେ ଲାଗିଥିବା ସିସିଟିଭି ତାରକୁ ମଧ୍ୟ ଛିଡ଼ାଇ ଦେଇଛନ୍ତି ।
ତେବେ ପୋଲିସ ହାତରେ ସିସିଟିଭି ଫୁଟେଜ ଲାଗିଛି, ଯେଉଁଥିରେ ଦୁଇ ଜଣ ବ୍ୟକ୍ତିଙ୍କୁ ଦେଖିବାକୁ ପାଇଥିଲା । ଉକ୍ତ ଦୁର୍ବୃତ୍ତ ମୁଣ୍ଡରେ ମଙ୍କି କ୍ୟାପ୍ ପିନ୍ଧିଥିବା ସହିତ ମୁହଁକୁ ପୁରା କଭର୍ କରିଥିବାର ଦେଖାଯାଇଛି । ଏହି ଫଟୋ ଆଧାରରେ ପୋଲିସ ଦୁର୍ବୃତ୍ତଙ୍କ ପାଖରେ ପହଁଚି ବୋଲି ଆଶା କରାଯାଉଛି ।