ପୁରୀ: ପୁରୀ ଜିଲ୍ଲା କଣାସରେ ଝାଡ଼ାବାନ୍ତି ସଂକ୍ରମଣ ପାଇଁ ଭୋଜି ଭାତ ଉପରେ କଟକଣା ଜାରି କରାଯାଇଛି । ବିବାହ ପାଇଁ ଆୟୋଜନ ହୋଇଥିବା ବାହାଘର ଭୋଜିକୁ ଅଧାରୁ ପ୍ରଶାସନ ବନ୍ଦ କରିଛି । ସଂକ୍ରମଣକୁ ଦୃଷ୍ଟିରେ ଏଭିଳି ନିଷ୍ପତ୍ତି ନିଆଯାଇଥିବା ନେଇ ସୂଚନା ଦେଇଛନ୍ତି ଉପ ଜିଲ୍ଲାପାଳ ରାଜକିଶୋର ଜେନା । ସାମୂହିକ ଭୋଜିଭାତ ନ କରିବାକୁ ଲୋକଙ୍କୁ ମାଇକ ଜରିଆରେ ସଚେତନ କରାଯାଉଥିବା କହିଛନ୍ତି ।
କଣାସ ନୂଆ ଦୋକନ୍ଦା ଗାଁର ବିଜୟ ବେହେରାଙ୍କ ଝିଅ ଗଡ଼ିଶାଗଦା ପଂଚାୟତର ନଈକୁଳପାଟଣା ଗାଁରେ ବିବାହ ସ୍ଥିର ହୋଇଥିଲା । ବିବାହ ପାଇଁ ଗ୍ରାମବାସୀ ଏବଂ ବରଯାତ୍ରୀଙ୍କୁ ମିଶାଇ ପ୍ରାୟ ୨ହଜାର ଲୋକଙ୍କ ପାଇଁ ଭୋଜିଭାତର ଆୟୋଜନ କରାଯାଇଥିଲା । କିନ୍ତୁ ସାମୂହିକ ଖବର ପାଇ ସେଠାରେ ପ୍ରଶାସନିକ ଅଧିକାରୀମାନେ ପହଁଚିଥିଲେ । କଣାସ ବିଡ଼ିଓ, ତହସିଲଦାର, ଦୋକନ୍ଦା ସରପଞ୍ଚଙ୍କ ଗ୍ରାମରେ ପହଁଚି ଭୋଜିଭାତ ନ କରିବାକୁ ଅନୁରୋଧ କରିଥିଲେ । ଏହା ପରେ ବିବାହ ପାଇଁ ଆୟୋଜିତ ହୋଇଥିବା ଭୋଜିଭାତ ସମ୍ପୂର୍ଣ୍ଣ ବନ୍ଦ ହୋଇଥିଲା । ତେବେ ଏତେ ବଡ଼ ଭୋଜିର ଆୟୋଜନ କରିବା ପରେ ତାହାକୁ ବନ୍ଦ ରଖିବାରୁ କନ୍ୟା ପକ୍ଷ ଅତ୍ୟନ୍ତ ଦୁଃଖିତ ଥିବା ଜଣାପଡ଼ିଛି । ପୂର୍ବରୁ କାହିଁକି ପ୍ରଶାସନ ସଚେତନ କଲାନି ବୋଲି କହିଛନ୍ତି ଗ୍ରାମବାସୀ ।
ଅନ୍ୟପକ୍ଷରେ କଣାସ ବ୍ଲକରେ ୩ଟି ପଞ୍ଚାୟତରେ ଝାଡ଼ାବାନ୍ତି ବ୍ୟାପିଛି । ପ୍ରାୟ ୫୦ରୁ ୬୦ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।