କୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଘଟଣାରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦମ୍ପତ୍ତିଙ୍କର ମୃତ୍ୟୁ ହୋଇଛି। ମୃତକ ଦମ୍ପତ୍ତି ନନ୍ଦପୁର ଥାନା ଗେରୁପୁଟ ଗାଁର ବୋଲି ଜଣାପଡିଛି । ପୋଲିସ ଘଟଣାର ତଦନ୍ତ କରୁଛି ।
ସୂଚନା ଅନୁସାରେ, ସୋମବାର ସନ୍ଧ୍ୟାରେ ଗେରୁପୁଟ ଗାଁର ଦମ୍ପତ୍ତି ବଳରାମ ଗୋଲେଲ୍ ଓ ବଲା ଗୋଲେଲ୍ ସନ୍ଧ୍ୟା ସମୟରେ କାଠ ଆଣିବା ପାଇଁ ଜଙ୍ଗଲକୁ ଯାଇଥିଲେ। ବହୁ ସମୟ ହେବ ସେମାନେ ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜିବା ପାଇଁ ଜଙ୍ଗଲକୁ ଯାଇଥିଲେ। ଖୋଜାଖୋଜି କରିବା ପରେ ଜଙ୍ଗଲ ଭିତରେ ସେମାନଙ୍କ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା।
ମୃତଦେହ ବିଦ୍ୟୁତ୍ ତାର ସହିତ ଥିବାରୁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଏନେଇ ସେମାନେ ନନ୍ଦପୁର ପୋଲିସକୁ ଖବର ଦେଇଥିଲେ। ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ମୃତଦେହକୁ ଜବତ କରି ଶବବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଯାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି । ଏହି ଘଟଣା ପରେ ପରିବାରରେ ଶୋକର ଛାୟା ଖେଳାଯାଇଛି ।