ଭୁବନେଶ୍ୱର : ଗତ କିଛି ଦିନ ହେବ ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାକୁ ନେଇ ଅନେକ ଖବର ସାମ୍ନାକୁ ଆସୁଛି। ଆଜି ନବଙ୍କ ହତ୍ୟାକୁ ନେଇ ଏକ ବିସ୍ଫୋରକ ବୟାନ ବୟାନ ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ସନ୍ତୋଷ ସିଂ ସାଲୁଜା । ସେ କହିଛନ୍ତି ହତ୍ୟା ପୂର୍ବରୁ ନବଦାସଙ୍କୁ ୱାର୍ଣ୍ଣିଂ ଦିଆଯାଇଥିଲା । ନବଙ୍କୁ କୋଲ୍ ବ୍ଲକରୁ ଦୂରେଇ ରହିବାକୁ କୁହାଯାଇଥିଲା। ସେତେବେଳର ଏସ୍ପି ଓ ଜିଲ୍ଲାପାଳ ଦୂରେଇ ରହିବାକୁ କହିଥିଲେ। ସେମାନଙ୍କୁ କିଏ ଚାପ ପକାଇଥିଲେ ସେ ଦୁଇ ଜଣ ହିଁ କହିପାରିବେ। ହତ୍ଯା ଷଡ଼ଯନ୍ତ୍ର ପଛରେ କିଏ ଥିଲେ CBI ତଦନ୍ତ ହେଲେ ଏହି ୨ ଅଫିସର କହିପାରିବେ । ସେ ଏକଥା ମଧ୍ଯ କହିଛନ୍ତି ନବଙ୍କ ହତ୍ଯା ମାମଲା ନେଇ ମୁଁ ବିଧାନସଭାରେ CBI ତଦନ୍ତ ପାଇଁ ଦାବି କରିଥିଲି। ଏବେ ବି ମୁଁ CBI ତଦନ୍ତ ହେଲେ ଷଡ଼ଯନ୍ତ୍ର ପଦାକୁ ଆସିପାରିବ କହୁଛି। ନବଙ୍କୁ ଗୋପାଳ ହତ୍ୟା କରିଥିଲା ନା କରାଯାଇଥିଲା ଜଣାପଡ଼ିବ। ସତ ପଦାକୁ ଆସିବା ନିହାତି ଦରକାର ଶ୍ରୀ ସାଲୁଜା କହିଛନ୍ତି।
ଅନ୍ୟପଟେ ବହୁଚର୍ଚ୍ଚିତ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ପ୍ରତିଦିନ ଗୋଟେ ପରେ ଗୋଟେ ନୂଆ ରହସ୍ୟର ଗୁମର ଖୋଲୁଛି । ହତ୍ଯାକାଣ୍ଡ ହୋଇଥିବା ସ୍ଥାନଠାରୁ ନେଇ ହସ୍ପିଟାଲ ଯାଏଁ ସବୁଠି ଯେମିତି ଖାଲି ଷଡ଼ଯନ୍ତ୍ର ଆଉ ଷଡ଼ଯନ୍ତ୍ରର ଗନ୍ଧ ବାରି ହୋଇ ପଡୁଛି । ୟା ଭିତରେ ସାମ୍ନାକୁ ଆସିଥିବା ତଥ୍ୟ ବି ଚକିତ କରି ଦେଲା ଭଳି । ନବଙ୍କ ରକ୍ତଭିଜା ସାର୍ଟକୁ କୁଆଡ଼େ ହସ୍ପିଟାଲ କର୍ତ୍ତୃପକ୍ଷ ପୋଡ଼ି ଦେଇଥିଲେ । ଖାଲି ନବଙ୍କ ସାର୍ଟ ପୋଡାଯାଇନି, ଜଣେ ପ୍ରମୁଖ ସାକ୍ଷୀଙ୍କ ସାର୍ଟର ରଙ୍ଗ ବି କ୍ରାଇମବ୍ରାଞ୍ଚ ଦସ୍ତାବିଜରେ ହଳଦିଆରୁ ଧଳା ହୋଇଯାଇଛି । ଆଉ ସବୁଠୁ ବଡ଼ କଥା ହେଉଛି, ତଦନ୍ତରେ ଏସବୁ ଛିଦ୍ର ବାବଦରେ ଖବର ପ୍ରକାଶ ପରେ ତଦନ୍ତକାରୀ ଅଧିକାରୀଙ୍କୁ କ୍ରାଇମବ୍ରାଞ୍ଚ ରିପୋର୍ଟ ତଲବ କରିଛି ।