ମହାରାଷ୍ଟ୍ର: ମହାରାଷ୍ଟ୍ରର ପାରବାଣୀ ଜିଲ୍ଲାରେ ଏକ ବର୍ବରତାର ଚିତ୍ର ସାମ୍ନାକୁ ଆସିଛି । ତୃତୀୟ ଥର ପାଇଁ ସ୍ତ୍ରୀଙ୍କ ଗର୍ଭରୁ ଝିଅ ଜନ୍ମ ହେବାରୁ ପତ୍ନୀଙ୍କୁ ଜୀଅନ୍ତା ଜାଳିଦେଇଛନ୍ତି ଜଣେ ଜଲ୍ଲାଦ ସ୍ୱାମୀ । ମୁମ୍ବାଇ ଠାରୁ ପ୍ରାୟ ୫୨୦ କିଲୋମିଟର ଦୂରରେ ଥିବା ଗଙ୍ଗାଖେଡ ନାକାରେ ଘଟିଛି ଏଭଳି ଘଟଣା ।
ଘଟଣା ମୁତାବିକ ଗୁରୁବାର ରାତିରେ ୩୨ ବର୍ଷୀୟ କୁଣ୍ଡଲିକ୍ ଉତ୍ତମ କାଲେ ତାଙ୍କ ପତ୍ନୀ ମୈନାଙ୍କୁ ଜିଅନ୍ତା ଜାଳି ହତ୍ୟା କରିଛନ୍ତି । ତେବେ ପୂର୍ବରୁ ପତ୍ନୀଙ୍କ ଗର୍ଭରୁ ୨ଟି ଝିଅ ଜନ୍ମ ହୋଇଥିବାରୁ ଘଟଣାକୁ ନେଇ ଅଧିକାଂଶ ସମୟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ ହେଉଥିଲା । ତେବେ ସ୍ତ୍ରୀ ପୁର୍ନଃବାର ଗର୍ଭବତୀ ହେବାରୁ ଏଥର ସ୍ୱାମୀ ପୁଅଟିଏ ଆଶା ରଖିଥିଲେ । ହେଲେ ଏଥର ବି ଝିଅ ଜନ୍ମ ହେବାରୁ ସ୍ତ୍ରୀକୁ ଗାଲିକୁଲଜ କରିବା ସହ ମାରପିଟ୍ କରୁଥିଲେ ସ୍ୱାମୀ କୁଣ୍ଡଲିକ୍ ଉତ୍ତମ କାଲେ ।
ତେବେ ଡିସେମ୍ବର ୨୨ ତାରିଖ ରାତିରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା କ୍ରମେ ବଢିବାକୁ ଲାଗିଲା । ଫଳରେ ରାଗରେ ସ୍ତ୍ରୀକୁ ପେଟ୍ରୋଲ ଢାଳି ଜିଅନ୍ତା ଜାଳିଦେଲା ଜଲ୍ଲାଦ ସ୍ୱାମୀ । ନିଆଁ ଲାଗିବା ମାତ୍ରେ ସ୍ତ୍ରୀ ମୈନା ଚିତ୍କାର କରି ଦୌଡ଼ିବାକୁ ଲାଗିଥିଲେ । ପାଟି ଶୁଣି ପୋଡିଶୀ ଆସି ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ଗୁରୁତର ଅବସ୍ଥାରେ ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା, ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି ।
ତେବେ ଏହି ଘଟଣାକୁ ନେଇ ମୈନାଙ୍କ ପରିବାର ଲୋକେ ପୋଲିସରେ ଅଭିଯୋଗ କରିବା ପରେ ପୋଲିସ ଅଭଯୁକ୍ତ ସ୍ୱାମୀ କୁଣ୍ଡଲିକ୍ ଉତ୍ତମ କାଲେଙ୍କୁ ଗିରଫ କରିଛି ।