ଭୁବନେଶ୍ୱର: ବିଜେପି ପକ୍ଷରୁ ରାଜ୍ୟସଭା ପ୍ରାର୍ଥୀ ହୋଇଥିବା ଟାଣୁଆ ନେତ୍ରୀ ମମତା ମହାନ୍ତ ବୁଧବାର ନାମାଙ୍କନ ଭରିଛନ୍ତି । ସେ ବିଧାନସଭା ଯାଇ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବିଜେପିର ବହୁ ବରିଷ୍ଠ ନେତାଙ୍କ ଗହଣରେ ସେ ନାମାଙ୍କନ ଭରିଛନ୍ତି ମମତା । ଏହି ସମୟରେ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ଉପ ମୁଖ୍ୟମନ୍ତ୍ରୀ କେ ଭି ସିଂଦେଓ, ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।
ଗତକାଲି ବିଜେପି ରାଷ୍ଟ୍ରୀୟ ମହାସଚିବ ଓ ପ୍ରଭାରୀ ଅରୁଣ ସିଂ ମମତାଙ୍କୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଥିଲା । ମମତା କୁଡ଼ୁମୀ ସଂପ୍ରଦାୟର ଜଣେ ଟାଣୁଆ ନେତ୍ରୀ । ୨୦୨୦ ମସିହାରେ ସେ ବିଜେଡି ପକ୍ଷରୁ ରାଜ୍ୟସଭା ସାଂସଦ ହୋଇଥିଲେ । ଜୁଲାଇ ୩୧ ତାରିଖରେ ସେ ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେଇଥିଲେ । ଏଦା ପରେ ସେ ବିଜେପିରେ ଯୋଗ ଦେଇଥିଲେ । ବିଧାନସଭାରେ ବିଜେପିର ସଂଖ୍ୟା ଗରିଷ୍ଠତା ଅଧିକ ଥିବାରୁ ସେ ରାଜ୍ୟସଭାକୁ ଯିବା ଏକ ପ୍ରକାର ସୁନିଶ୍ଚିତ ହୋଇଯାଇଛି ।
ଓଡ଼ିଶା ସମେତ ୯ଟି ରାଜ୍ୟର ୧୨ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ । ଆସନ୍ତା କାଲି ନାମାଙ୍କନ ପତ୍ର ଯାଞ୍ଚ କରାଯାଇ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ । ସେହିପରି ଅଗଷ୍ଟ ୨୭ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖରେ ରହିଛି । ସେପ୍ଟେମ୍ବର ୩ ତାରିଖରେ ରାଜ୍ୟସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ସେହିଦିନ ଫଳାଫଳ ପ୍ରକାଶ ପାଇବ ।
ଆସାମ, ବିହାର ଓ ମହାରାଷ୍ଟ୍ରରେ ୨ଟି ଲେଖାଏଁ ଆସନ ଖାଲି ରହିଥିବାବେଳେ ଓଡ଼ିଶା, ହରିୟାଣା, ମଧ୍ୟ ପ୍ରଦେଶ,ରାଜସ୍ଥାନ, ତ୍ରିପୁରା ଓ ତେଲେଙ୍ଗାନାରେ ଗୋଟାଏ ଲେଖାଏଁ ଆସନ ଖାଲି ପଡ଼ିଛି । ଓଡ଼ିଶାର ରାଜ୍ୟସଭା ସାଂସଦ ମମତା ମହାନ୍ତ ଇସ୍ତଫା ଦେବାପରେ ଗୋଟିଏ ଆସନ ଖାଲି ପଡ଼ିଥିଲା ।