ଭୁବନେଶ୍ୱର: ଯିଏ ଦୁର୍ନୀତି କରିବ ସିଏ ଜେଲ ଯିବ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଏହି ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରାଯାଉଛି । ଏହି କ୍ରମରେ ଆଜି ପୁଣି ଜଣେ ସରକାରୀ ବଡ଼ ମାଛ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଭୁବନେଶ୍ୱର ମୃତ୍ତିକା ସଂରକ୍ଷଣ ଏବଂ ଜଳ ଛାୟା ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗଙ୍କ ଘରେ ଚଢ଼ଉ କରିଛି ଭିଜିଲାନ୍ସ ଟିମ୍ । ସେ ରାୟଗଡ଼ା ଜଳଛାୟା ବିଭାଗର ପୂର୍ବତନ ପ୍ରକଳ୍ପ ନିର୍ଦ୍ଦେଶକ ମଧ୍ୟ ଅଟନ୍ତି ।
ଆୟ ବର୍ହିଭୂତ ସମ୍ପତ୍ତି ଏକାଠି କରିବା ଅଭିଯୋଗରେ ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗଙ୍କର ୮ ଟି ଠିକଣାରେ ଏକକାଳୀନ ସୋମବାର ସକାଳୁ ଚଢ଼ଉ କରାଯାଉଛି । ଭୁବନେଶ୍ୱର, କଳାହାଣ୍ଡି ଏବଂ ନବରଙ୍ଗପୁରରେ ଯାଞ୍ଚ କରାଯାଉଛି । କଳାହାଣ୍ତି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ କୁପଗାଁ ଗ୍ରାମରେ ଥିବା ପୈତୃକ ବାସଭବନ ଓ ଧର୍ମଗଡ଼ ଥାନା ବିକ୍ରମଗୁଡ଼ା ଗ୍ରାମରେ ଥିବା ଶ୍ୱଶୁର ଘର, ରାଜଧାନୀ ଭୁବନେଶ୍ୱରର ଗୋଠପାଟଣାସ୍ଥିତ ମହାନଦୀ ଆପାର୍ଟମେଣ୍ଟରେ ଥିବା ଫ୍ଲାଟ୍, ଚନ୍ଦ୍ରଶେଖରପୁରରେ ଥିବା ଘର ଓ କାର୍ଯ୍ୟାଳୟ ଏବଂ ନବରଙ୍ଗପୁର ଜିଲ୍ଲାର ମଝିଗୁଡ଼ା ଛକ ନିକଟସ୍ଥ ପଦଲଗୁଡ଼ାରେ ଥିବା ଏକ କୋଠା ଓ ଛୁଟିଆଗୁଡ଼ାରେ ସ୍ତ୍ରୀଙ୍କ ନାମରେ ଥିବା ୨ଟି ଘରେ ଚଢ଼ଉ ଜାରି ରହିଛି ।
ଏହି ଚଢ଼ଉରେ ଭିଜିଲାନ୍ସ ବିଭାଗର ୧୦ ଜଣ ଡିଏସପି, ୮ ଇନସ୍ପେକ୍ଟର୍, ୧୦ ଆସିଷ୍ଟାଣ୍ଟ ଏସ୍ଆଇ ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ଅଛନ୍ତି । ପୂର୍ବ ମାସରେ ଭିଜିଲାନ୍ସ ଦ୍ୱାରା ରୁଜୁ ହୋଇଥିବା ଦୁର୍ନୀତି ମାମଲା ସହିତ ଜଡ଼ିତ ଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ଏଠାର ଉଲ୍ଲେଖ ଯୋଗ୍ୟ, ଗତ ମେ ୨ରେ ୨୦ ଲକ୍ଷ ଟଙ୍କାରୁ ଅଧିକ ସରକାରୀ ପାଣ୍ଠି ହଡ଼ପ କରିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାଯାଇଥିଲା । ସେମାନେ ହେଲେ ରାୟଗଡ଼ା ଜଳଛାୟା ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ କାର୍ଯ୍ୟାଳୟର ସହାୟକ ପ୍ରକଳ୍ପ ନିର୍ଦ୍ଦେଶକ ତଥା ପ୍ରକଳ୍ପ କାର୍ଯ୍ୟାନ୍ୱୟନ ସଂସ୍ଥାର ରାଜେନ୍ଦ୍ର ନାଥ ନାଏକ, ମୃତ୍ତିକା ସଂରକ୍ଷଣ ପର୍ଯ୍ୟବେକ୍ଷକ ଯୋଗେନ୍ଦ୍ର ଖୋସଲା ଓ ଦୀପକ କୁମାର ସାହୁ ଏବଂ ମୃତ୍ତିକା ସଂରକ୍ଷଣ ସମ୍ପ୍ରସାରଣ କର୍ମୀ ଶ୍ରୀକୁମାର ନାୟକ । ସମସ୍ତ କର୍ମଚାରୀ ଏନଆରଇଜିଏସ୍ ଅଧୀନରେ କାଶୀପୁର ବ୍ଲକର ବିଭିନ୍ନ ଗ୍ରାମରେ ୨୩ଟି କୃଷି ପୋଖରୀ ଖନନ ନ କରି ୨୦ ଲକ୍ଷରୁ ଅଧିକ ସରକାରୀ ଅର୍ଥ ଆତ୍ମସାତ କରିଥିବା ଜଣାପଡ଼ିଥିଲା ।