ଭୁବନେଶ୍ୱର: କଟକ-ଭୁବନେଶ୍ୱର କମିଶନରେଟ୍ ପୁଲିସକୁ ପୁଣି ଫେରିଛନ୍ତି ଦୁଇ ଜଣ ଆଇପିଏସ ଅଧିକାରୀ । ଗୁରୁବାର ଅତିରିକ୍ତ ପୁଲିସ କମିଶନରଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇପିଏସ ଡ. ଉମାଶଙ୍କର ଦାଶ ଏବଂ ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ନେଇଛନ୍ତି ପିନାକ ମିଶ୍ର । ପୁଲିସ କମିଶନର ଡ. ସୁରେଶ ଦେବ ଦତ୍ତ ସିଂହ ଦୁଇ ଜଣଙ୍କୁ ବ୍ୟାଚ୍ ପିନ୍ଧାଇ ସ୍ୱାଗତ କରିଛନ୍ତି ।
୨୦୦୮ ବ୍ୟାଚ୍ ର ଆଇପିଏସ୍ ଉମାଶଙ୍କର ଦାଶ ପୁଣି ଥରେ କମିଶନରେଟ ପୁଲିସକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେ ଦ୍ୱିତୀୟ ଥର ପାଇଁ ଅତିରିକ୍ତ ସିପିଭାବେ ଏହି ପଦକୁ ଆସିଛନ୍ତି । ଏହା ପୂର୍ବରୁ ୨୦୨୦, ଜୁଲାଇରୁ ୨୦୨୨ ଏପ୍ରିଲ୍ ଯାଏଁ ଭୁବନେଶ୍ୱର ଡିସିପି ଦ୍ୱାୟିତ୍ୱ ସୂଚାରୁ ରୂପେ ତୁଲାଇ ଥିଲେ । ଏହା ପରେ ଡିସିପିରୁ ଅତିରିକ୍ତ ସିପିଭାବେ ପଦୋନ୍ନତି ପାଇ ୨୦୨୨ ଏପ୍ରିଲ୍ ରୁ ୨୦୨୩ ନଭେମ୍ବର ଯାଏଁ କାର୍ୟ୍ୟ କରିଥିଲେ ।
ଉମାଶଙ୍କର ଦାଶ ଦାୟିତ୍ଵ ନେବା ପରେ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ କଟକ ଏବଂ ଭୁବନେଶ୍ୱରବାସିନ୍ଦା ଯାହା ଆଶା ରଖିଛନ୍ତି ତାହା ଉପରେ ଧ୍ୟାନ ଦିଆଯିବ । ଲୋକଙ୍କ ପ୍ରତି ବ୍ୟବହାର ଭଲ ରଖିବା ଉପରେ କାର୍ୟ୍ୟ କରିବେ ବୋଲି ସେ କହିଛନ୍ତି ।
୨୦୧୧ ବ୍ୟାଚ୍ ର ପିନାକ ମିଶ୍ର ଆଇପିଏସ ପ୍ରତୀକ ସିଂହ ବଦଳି ପରେ ଭୁବନେଶ୍ୱର ଡିସିପିଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଏହା ପୂର୍ବରୁ ପୁରୀ ଜିଲ୍ଲାର ଆରକ୍ଷୀ ଅଧିକ୍ଷକଭାବେ କାର୍ଯ୍ୟ କରୁଥିଲେ । ସେ ପୂର୍ବରୁ ୨୦୨୨, ମେ ରୁ ୨୦୨୪, ଜାନୁୟାରୀ ଯାଏଁ କଟକର ଡିସିପିଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଦାୟିତ୍ୱ ଗ୍ରହଣ କରିବା ପରେ ପିନାକ ମିଶ୍ର କହିଛନ୍ତି ଯେ ପୁଲିସ ବ୍ୟବସ୍ଥା, ଟ୍ରାଫିକ୍ ବ୍ୟବସ୍ଥା, ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପରେ ଗୁରୁତ୍ୱ ଏବଂ ଶୃଙ୍ଖଳିତ ଦୁର୍ଗା ପୂଜା ସମ୍ପନ୍ନ କରିବାକୁ ଚେଷ୍ଟା କରିବି ।