ପୁରୀ: ଆସନ୍ତା ଡିସେମ୍ବର ୪ ତାରିଖରେ ପୁରୀ ସମୁଦ୍ର କୂଳରେ ପାଳନ ହେବ ନୌସେନା ଦିବସ । ଯେମିତି ବିବାହ କିମ୍ବା କିଛି ଶୁଭ କାମ ପାଇଁ ମହାପ୍ରଭୁ ଜଗନ୍ନାଥଙ୍କୁ ନିମନ୍ତ୍ରଣ କରାଯାଏ ସେହିପରି ନୌସେନା ଦିବସ ପାଳନ ପୂର୍ବରୁ ମହାପ୍ରଭୁଙ୍କୁ ନିମନ୍ତ୍ରଣ କରାଯାଇଛି । ନୌସେନାର ବରିଷ୍ଠ ଅଧିକାରୀ ମାନେ ପୁରୀ ଶ୍ରୀମନ୍ଦିର ଯାଇ ପ୍ରଥମ ନିମନ୍ତ୍ରଣ ପତ୍ର ମହାପ୍ରଭୁଙ୍କୁ ଦେଇଛନ୍ତି । ଆଇଏନଏସ୍ କଳିଙ୍ଗର ଅଫିସର ପ୍ରଦୀପ ପଟେଲ ଏହି ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି ।
ଓଡ଼ିଶାରେ ପ୍ରଥମ ଥର ପାଇଁ ପୁରୀ ବେଳାଭୂମିରେ ନୌସେନା ଦିବସ ପାଳନ ହେବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ପ୍ରସ୍ତୁତି ଜୋରଦାରରେ ଚାଲିଛି । ଦିଗବାରେଣି ଖୁଣ୍ଟି ଠାରୁ ଆରମ୍ଭ କରି ନୀଳାଦ୍ରି ବିଚରୁ ପେଣ୍ଠକଟା ପର୍ଯ୍ୟନ୍ତ ନୌସେନାର ରଣ କୌଶଳ ପ୍ରଦର୍ଶନ ହେବ । ଏଥିପାଇଁ ନୌସେନା ପକ୍ଷରୁ ଯୁଦ୍ଧ ଜାହାଜ ଆସି ପହଁଚିଥିବାବେଳେ ଅଭ୍ୟାସ ମଧ୍ୟ ଆରମ୍ଭ ହୋଇଛି ।