ନୂଆଦିଲ୍ଲୀ: ୱକଫ୍ ସଂଶୋଧିତ ଆଇନକୁ ନେଇ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ଘଟିଥିବା ସାମ୍ପ୍ରଦାୟିକ ହିଂସା ଏବେ ପଡ଼ୋଶୀ ରାଷ୍ଟ୍ର ପାଇଁ ଖୋରାକ ଯୋଗାଇଛି । ପ୍ରଥମେ ପାକିସ୍ତାନ ଭାରତକୁ ଟାର୍ଗେଟ୍ କରିଥିବାବେଳେ ଏବେ ବାଂଲାଦେଶ ସାମିଲ ହୋଇଛି । କିନ୍ତୁ ଭାରତର ବୈଦେଶିକ ମନ୍ତ୍ରଣାଳୟ ବାଂଲାଦେଶକୁ ଆଇନା ଦେଖାଇଛି ।
ଶୁକ୍ରବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପଶ୍ଚିମବଙ୍ଗରେ ଘଟୁଥିବା ଘଟଣା ସମ୍ପର୍କରେ ବାଂଲାଦେଶ ପକ୍ଷରୁ ଦିଆଯାଇଥିବା ମନ୍ତବ୍ୟକୁ ଦୃଢ଼ତାର ସହିତ ପ୍ରତ୍ୟାଖ୍ୟାନ କରିଛି । ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଯେ ବାଂଲାଦେଶ ଭାରତ ଉପରେ "ମିଥ୍ୟା ଏବଂ ଭିତ୍ତିହୀନ" ମନ୍ତବ୍ୟ ଦେବା ପରିବର୍ତ୍ତେ ନିଜ ଦେଶରେ ରହୁଥିବା ସଂଖ୍ୟାଲଘୁଙ୍କ ଅଧିକାର ସୁରକ୍ଷା ଉପରେ ଧ୍ୟାନ ଦେବା ଉଚିତ । ଯେଉଁ ଦେଶରେ ଅପରାଧୀମାନେ ମୁକ୍ତ ଭାବରେ ବୁଲୁଛନ୍ତି, ସେହି ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଅତ୍ୟାଚାର ସହିତ ଭାରତକୁ ତୁଳନା କରିବା କପଟପୂର୍ଣ୍ଣ ପ୍ରୟାସ । ଅଯଥା ମନ୍ତବ୍ୟ ଦେବା ପରିବର୍ତ୍ତେ, ବାଂଲାଦେଶ ନିଜ ସୀମା ମଧ୍ୟରେ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ସୁରକ୍ଷା ଦେବା ଏବଂ ତାଙ୍କ ଅଧିକାର ସୁରକ୍ଷା ଉପରେ ଧ୍ୟାନ ଦେଲେ ଆହୁରି ଭଲ ହେବ ବୋଲି କହିଛନ୍ତି ଜୟସୱାଲ ।
ବାଂଲାଦେଶର ମୁଖ୍ୟ ପରାମର୍ଶଦାତାଙ୍କ ପ୍ରେସ୍ ସଚିବ ଶଫିକୁଲ ଆଲାମ ଭାରତକୁ ଏହାର ମୁସଲିମ ସଂଖ୍ୟାଲଘୁ ଜନସଂଖ୍ୟାକୁ "ସମ୍ପୂର୍ଣ୍ଣ ସୁରକ୍ଷା" ଦେବାକୁ ଆହ୍ୱାନ କରିବା ପରେ ଭାରତର ଏଭଳି ପ୍ରତିକ୍ରିୟା ଦେଇଛି । ମୁର୍ଶିଦାବାଦ ହିଂସାରେ ବାଂଲାଦେଶର ସମ୍ପୃକ୍ତିକୁ ମଧ୍ୟ ସେ ଅସ୍ୱୀକାର କରିଛନ୍ତି । ମୁର୍ଶିଦାବାଦରେ ହୋଇଥିବା ସାମ୍ପ୍ରଦାୟିକ ହିଂସାରେ ବାଂଲାଦେଶକୁ ସମ୍ପୃକ୍ତ କରିବାର ଯେକୌଣସି ପ୍ରୟାସକୁ ଆମେ ଦୃଢ଼ ଭାବରେ ଖଣ୍ଡନ କରୁଛୁ ବୋଲି କହିଛନ୍ତି ଆଲମ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ୱାକଫ (ସଂଶୋଧନ) ଆଇନ ବିରୋଧରେ ପ୍ରତିବାଦ ସମୟରେ ଏପ୍ରିଲ ୧୧ରେ ଘଟିଥିବା ହିଂସାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନେକ ଆହତ ହୋଇଥିଲେ। ଏହି ଅଶାନ୍ତି ଯୋଗୁଁ ବହୁ ସମ୍ପତ୍ତି କ୍ଷତି ହୋଇଥିଲା ଏବଂ ଅନେକ ହିନ୍ଦୁ ପରିବାର ପଳାୟନ କରିବାକୁ ବାଧ୍ୟ ହୋଇଥିଲେ । କେତେକ ଝାଡ଼ଖଣ୍ଡର ପାକୁର ଜିଲ୍ଲାରେ ଆଶ୍ରୟ ନେଇଥିଲେ ଏବଂ ଅନ୍ୟମାନେ ମାଲଦାର ରିଲିଫ୍ ଶିବିରକୁ ଚାଲିଯାଇଥିଲେ। କଲିକତା ହାଇକୋର୍ଟ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ମୁର୍ଶିଦାବାଦରେ କେନ୍ଦ୍ରୀୟ ବାହିନୀ ମୁତୟନ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।