ଭୁବନେଶ୍ୱର : ହାଇପ୍ରୋଫାଇଲ୍ ଠକ ହଂସିତା ଅଭିଲିପ୍ସାଙ୍କ ଘରେ ଆଜି ଆୟକର ବିଭାଗ ଟିମ୍ ଚଢ଼ଉ କରିଛି । ହଂସିତାଙ୍କର ୧୨ଟି ଠିକଣାରେ ଖୋଲତାଡ଼ କରୁଛି ଆଇଟି ଟିମ୍ । ଭୁବନେଶ୍ୱର, ଦିଲ୍ଲୀ, ଝାଡ଼ଖଣ୍ଡର ୧୨ଟି ସ୍ଥାନରେ ଏକକାଳୀନ ଚଢ଼ଉ ଆରମ୍ଭ ହୋଇଛି । କୋଟି କୋଟି ଟଙ୍କାର ନେଣ ଦେଣ ନେଇ ଏହି ଚଢ଼ଉ କରାଯାଉଥିବା ନେଇ ଜଣାପଡ଼ିଛି ।
କନ୍ଧମାଳ ଜିଲ୍ଲାର ନର୍ଲାର ହଂସିତା ଅଭିଲିପ୍ସା ଏବଂ ତାଙ୍କ ସହଯୋଗୀ ଅନୀଲ ମହାନ୍ତି ନିଜକୁ ସ୍ୱାମୀ-ସ୍ତ୍ରୀର ପରିଚୟ ଦେଉଥିଲେ । ଏମାନେ ନିଜକୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପି.କେ ମିଶ୍ରଙ୍କ ପୁଅ-ବୋହୂ କହି ବଡ଼ ବଡ଼ ଲୋକଙ୍କୁ ଠକୁଥିଲେ । ଖଣି ବ୍ୟବସାୟ ସମେତ ବଡ଼ ବଡ଼ କଣ୍ଟ୍ରାକ୍ଟର, ବିଲଡର୍, କୁ ନିଜ ଜାଲରେ ଫସାଉଥିଲେ ଏବଂ କୋଟି କୋଟି ଟଙ୍କା ହଡ଼ପ କରୁଥିଲେ । ତେବେ ନିକଟରେ ହଂସିତା ନିଜର ପାର୍ଟନର ଅନୀଲକୁ ନଗଦ ଟଙ୍କା ଦେଇ ସାଢ଼େ ୪ କୋଟିର କାର୍ ଉପହାର ଦେବା ପରେ ଘଟଣା ସାମ୍ନାକୁ ଆସିଥିଲା ।
ଡିସେମ୍ବରରେ ଏ ଦୁଇ ଜଣଙ୍କୁ ଭୁବନେଶ୍ୱର ଇନଫୋସିଟି ଥାନା ପୋଲିସ ଗିରଫ କରିଥିଲା । ଏମାନଙ୍କ ବିରୋଧରେ ବିଏନ୍ଏସ୍ ଧାରା ୩୨୯(୩), ୩୧୯(୨), ୩୧୮(୪) ଓ ୩(୫) ଲାଗୁ କରାଯାଇଛି । ସେମାନଙ୍କର ଏକାଧିକ ଫଟୋ ମଧ୍ୟ ଜବତ କରାଯାଇଥିଲା । ମୁଖ୍ୟ ଶାସନ ସଚିବଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଫଟୋ ସହିତ ନିଜ ଫଟୋକୁ ଏଡ଼ିଟ୍ କରି ଲୋକଙ୍କୁ ଦେଖାଉଥିଲେ ଏବଂ ଲୋକଙ୍କଠାରୁ କୋଟି କୋଟି ଟଙ୍କା ହଡ଼ପ କରୁଥିଲେ । ଠକେଇ ଟଙ୍କାରେ ବିଳାସମୟ ଜୀବନ ବିତାଉଥିଲେ ହଂସିତା ଓ ଅନୀଲ । ଦାମୀ କାର୍ ଚଢ଼ିବା ସହିତ ଦେଶ ବିଦେଶ ବୁଲୁଥିଲେ ।