ନୂଆଦିଲ୍ଲୀ: ଇଂରାଜୀ ନୂଆବର୍ଷର ଶୁଭ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଠାରେ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଏବଂ ଇଗ୍ନୋ ଦକ୍ଷତା କେନ୍ଦ୍ରର ଆଭାସୀ ମାଧ୍ୟମରେ ଉଦଘାଟନ ହୋଇଯାଇଛି । ପ୍ରଥମ ଥର ପାଇଁ ଇଗ୍ନୋ ମାଧ୍ୟମରେ ପାଠପଢା ସହିତ ଦକ୍ଷତା ଶିକ୍ଷା, ଜନଜାତି ଅଞ୍ଚଳରେ ବଡ଼ ପରିବର୍ତ୍ତନ ଆଣିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ସ୍କିଲିଂ ଫର୍ ଏଆଇ ରିଡନେସ୍(ସୋର୍) ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅଧୀନରେ ରାଇରଙ୍ଗପୁରରେ ଇଗ୍ନୋର ଦକ୍ଷତା କେନ୍ଦ୍ର ଉଦଘାଟତି ହୋଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ଏହି ନୂତନ କେନ୍ଦ୍ର ପ୍ରତିଷ୍ଠା ଦ୍ୱାରା ସମାଜରେ ରୋଜଗାର ଓ ଉଦ୍ୟମିତା ବୃଦ୍ଧି ପାଇବ । ପ୍ରଥମ ଥର ପାଇଁ ଇଗ୍ନୋ ମାଧ୍ୟମରେ ଶିକ୍ଷା ସହିତ ଦକ୍ଷତା ଶିକ୍ଷା ପ୍ରଦାନ କରାଯିବ, ଯାହା ଏକ ବଡ଼ ପରିବର୍ତ୍ତନ ଆଣିବ । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି, ଭାରତ ବର୍ତ୍ତମାନ 'ଏଆଇ ଇମ୍ପାକ୍ଟ' ସମ୍ମିଳନୀ କରୁଛି । ଯେଉଁ ସମୟରେ ବିଶ୍ୱ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କୁ ନେଇ ଆଶଙ୍କା କରୁଛି, ଭାରତ ଏହାକୁ ଏକ ସୁଯୋଗ ଭାବେ ଗ୍ରହଣ କରିବା ଉଚିତ୍ । ନୂଆପିଢ଼ିକୁ ଏଆଇ ମାଧ୍ୟମରେ ଶିକ୍ଷାଦାନର ବ୍ୟବସ୍ଥା କରାଯିବ । 'ଏଆଇ ଫର୍ ଅଲ୍' ଆଗାମୀ ଦିନରେ ଏକ 'ଗେମ୍ ଚେଞ୍ଜର' ସାବ୍ୟସ୍ତ ହେବ । ସେହିପରି ପ୍ରଧାନମନ୍ତ୍ରୀଙ୍କ 'ଆତ୍ମନିର୍ଭର ଭାରତ'ର ସ୍ୱପ୍ନ ସାକାର କରିବା ପାଇଁ ନାଗରିକଙ୍କ ଆର୍ଥିକ ଆଉଟପୁଟ୍ ବଢ଼ାଇବାକୁ ହେବ । ବିକଶିତ ଭାରତ ଗଠନ ପାଇଁ ଆମର ୱର୍କଫୋର୍ସକୁ ୫୦ରୁ ୭୫ ପ୍ରତିଶତକୁ ନେବାକୁ ପଡ଼ିବ ଏବଂ ଏଥିପାଇଁ ଦକ୍ଷତା ବିକାଶ ହିଁ ମୂଳାଧାର ।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ରାଷ୍ଟ୍ର ମନ୍ତ୍ରୀ ଜୟନ୍ତ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ । ବାରିପଦାରୁ ଭିସି ମାଧ୍ୟମରେ ଓଡ଼ିଶା ସରକାରଙ୍କ ମନ୍ତ୍ରୀ, ସାଂସଦ, ବିଧାୟକ ଏବଂ ଭାରତ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ ।