ଭୁବନେଶ୍ୱରରେ ପୁଣି ବଧୂ ହତ୍ୟା ଅଭିଯୋଗ । ଯୌତୁକ ନିର୍ଯାତନା ପାଇଁ ଝୁଲି ପଡିଲେ ନବବଧୂ । ମଞ୍ଚେଶ୍ୱର ଥାନା ଅଧୀନ ଧିରୁକୁଟି ସାହିର ଏକ ଘର ଭିତରୁ ମିଳିଲା ନବ ଵିବାହିତଙ୍କ ଝୁଲନ୍ତା ମୃତଦେହ । ମୃତକ ହେଉଛନ୍ତି ଭୁବନେଶ୍ୱର ଅନ୍ଧାରୁଆ ଗ୍ରାମର ସୁବାଷ ନାୟକଙ୍କ ଝିଅ ତୃପ୍ତି ନାୟକ । ଝିଅକୁ ସୁପ୍ରକଳ୍ପିତ ଭାବେ ହତ୍ୟା କରାଯାଇଥିବା ପରିବାର ଲୋକଙ୍କ ଅଭିଯୋଗ କରିଛନ୍ତି ।
ସୂଚନା ଅନୁସାରେ, ରବିବାର ସକାଳେ ବସ୍ତିର ଏକ ଘରୁ ଜଣେ ନବବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ମିଳିଥିଲା। ଝିଅର ବାପଘର ଲୋକେ ଏ ନେଇ ଖବର ପାଇବା ପରେ ଝିଅକୁ ଶାଶୁଘର ଲୋକେ ହତ୍ୟା କରିଥିବା ଅଭିଯୋଗ କରିଥିଲେ। ହତ୍ୟା ପରେ ଝିଅର ଶ୍ୱଶୁର ଘର ଲୋକ ଆତ୍ମହତ୍ୟାର ରୂପ ଦେଉଛନ୍ତି ବୋଲି ଅଭିଯୋଗ କରିଥିଲେ। ମଞ୍ଚେଶ୍ୱର ଥାନାରେ ଲିଖିତ ଅଭିଯୋଗ ପରେ ଏହାକୁ ଏକ ହତ୍ୟାକାଣ୍ଡ ମାମଲା ଭାବେ ମାମଲା ରୁଜୁ କରିଛି ମଞ୍ଚେଶ୍ୱର ଥାନା ପୁଲିସ। ଏହି ମାମଲାରେ ମୃତା ତୃପ୍ତିଙ୍କ ସ୍ୱାମୀ ଓ ପରିବାର ଲୋକଙ୍କୁ ଅଟକ ରଖି ପଚରାଉଚରା ଜାରି କରିଥିଲା ପୁଲିସ୍। ପରେ ସ୍ୱାମୀ ବିକ୍ରମ ନାୟକକୁ ପୁଲିସ ଗିରଫ କରିଛି। ଅଭିଯୁକ୍ତ ସ୍ବାମୀ ବିରୁଦ୍ଧରେ ପୁଲିସ ସଙ୍ଗୀନ୍ ଦଫା ଲଗାଇଛି।