ଫୁଲବାଣୀ: ପ୍ରବଳ ବର୍ଷା ଯୋଗୁଁ ପାହାଡ଼ ତଳକୁ ଖସି ପଡ଼ିଲା ୨ଟି ଜେସିବି । ଏପରି ଏକ ଅଘଟଣ କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟିରେ ଘଟିଛି । କାହାର କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ, କଳିଙ୍ଗା ଘାଟିରେ ରାସ୍ତା କାର୍ଯ୍ୟ କରାଯାଉଥିଲା । ଗତକାଲି ପ୍ରବଳ ବର୍ଷା ହେବା କରଣରୁ ମାଟି ଅତଡା ଖସିଥିଲା । ଫଳରେ ରାସ୍ତା କାର୍ଯ୍ୟ ପାଇଁ ନିୟୋଜିତ ହୋଇଥିବା ୨ଟି ଜେସିବି ପାହାଡ଼ ତଳକୁ ଖସି ପଡ଼ିଥିଲା। ଆଜି ସକାଳୁ ସ୍ଥାନୀୟ ଲୋକେ ଏହି ଖବର ଠିକା ସଂସ୍ଥାକୁ ଦେଇଥିଲେ । ଯାହାଦ୍ୱାରା ରାସ୍ତା କାର୍ଯ୍ୟ କରାଯାଉଥିଲା । ତୁରନ୍ତ ସେମାନେ ଘଟଣାସ୍ଥଳରେ ପହଞ୍ଚି ଜେସିବି ମେସିନକୁ ଉଦ୍ଧାର କରିଥିଲେ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି । ଯାହାର ପ୍ରଭାବରେ ଉପରମୁଣ୍ଡରେ ବର୍ଷା ହେବାରୁ ମାଟି ଅତଡା ଖସି ଜେସିବି ତଳକୁ ଖସି ପଡ଼ିଥିଲା ।