ବଲାଙ୍ଗୀର: ଗତକାଲି (ସୋମବାର) ଦିନିକିଆ ବଲାଙ୍ଗୀର ଗସ୍ତରେ ଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଏହି ସମୟରେ ଉପମୁଖ୍ୟମନ୍ତ୍ରୀ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଚଉଷଠି ଯୋଗିନୀ ମନ୍ଦିର, ସୋମେଶ୍ୱର ମନ୍ଦିର ଏବଂ ଇନ୍ଦ୍ରଲାଠ ମନ୍ଦିର ସମେତ ସମଗ୍ର ପଥର ଶଯ୍ୟାକୁ ବୁଲି ଦେଖିଥିଲେ । ବର୍ତ୍ତମାନର ଭିତ୍ତିଭୂମିର ସ୍ଥିତି ଅନୁଧ୍ୟାନ କରିବା ସହ ଏହାର ସାମଗ୍ରିକ ବିକାଶ ପାଇଁ ପର୍ଯ୍ୟଟନ ବିଭାଗ ଦ୍ଵାରା ପ୍ରସ୍ତୁତ ହୋଇଥିବା ଯୋଜନାର ସମୀକ୍ଷା ମଧ୍ୟ କରିଥିଲେ । ବଲାଙ୍ଗୀର ଚଉଷଠି ଯୋଗିନୀ ମନ୍ଦିର ପାଇଁ ଉପମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି । ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ଉନ୍ନତିକରଣ ପାଇଁ ୮୭ କୋଟି ୯୩ ଲକ୍ଷ ୨୮ ହଜାର ଟଙ୍କା ଘୋଷଣା କରିଛନ୍ତି ।
ଏହା ପରେ ଉପମୁଖ୍ୟମନ୍ତ୍ରୀ ହରିଶଙ୍କରଠାରେ ପହଞ୍ଚି ମନ୍ଦିର ପରିସର ବୁଲି ଦେଖିଥିଲେ । ଏହା ପରେ ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ ପରିଦର୍ଶନରେ ଯାଇ ଉପମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ସହ କିଛି ସମୟ ଆଲୋଚନା କରିଥିଲେ । ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଏକ ସମୀକ୍ଷା ବୈଠକରେ ଯୋଗଦେଇଥିଲେ । ସୁଭଦ୍ରା ଯୋଜନା ସମେତ ବିଭିନ୍ନ ଲୋକାଭିମୁଖୀ ଯୋଜନାର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ଏଥିସହିତ ବଲାଙ୍ଗୀର ଜିଲ୍ଲା ପାଇଁ ଆଗାମୀ ଦିନରେ କାର୍ଯ୍ୟକାରୀ ହେବାକୁ ଥିବା ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । ଏହି ବୈଠକରେ ପ୍ରଶାସନିକ, ଜିଲ୍ଲାସ୍ତରୀୟ ଏବଂ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।