ଭୁବନେଶ୍ୱର: ବିଗତ କିଛି ମାସ ହେବ ଦେଶରେ ହୁ ହୁ ହୋଇ ବଢ଼ୁଥବା ସୁନା ଦରରେ ଏବେ ଲାଗିଛି ବ୍ରେକ୍। ଘରୋଇ ବଜାରରେ ମାତ୍ର ଦୁଇ ଦିନରେ ସୁନା ମୂଲ୍ୟ ୨୭୦୦ ଟଙ୍କାରୁ ଅଧିକ ହ୍ରାସ ଘଟିଛି। ପୂର୍ବରୁ ୧୦ ଗ୍ରାମ ପିଛା ସୁନା ଦର ୧ ଲକ୍ଷ ଟଙ୍କା ଟପିବା ନେଇ ଆକଳନ କରାଯାଉଥିବା ବେଳେ ଏବେ ଦର ହଠାତ୍ ହ୍ରାସ ହୋଇଛି ।
ଗତକାଲି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୯୮୦ ଟଙ୍କା ହ୍ରାସ ପାଇବା ସହ ୯୦,୬୬୦ ଟଙ୍କା ରହିଥିଲା । ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୯୦୦ ଟଙ୍କା ହ୍ରାସ ଘଟି ୮୩,୧୦୦ ଟଙ୍କା ରହିଥିଲା । ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧ ଗ୍ରାମ୍ ପିଛା ୮,୩୧୦ ଟଙ୍କା ହୋଇଥିବା ବେଳେ ୮ ଗ୍ରାମ ପିଛା ୬୬,୪୮୦ ଟଙ୍କା ରହିଛି । ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧ ଗ୍ରାମ୍ ପିଛା ୯,୦୬୬ ଟଙ୍କା ହୋଇଥିବା ବେଳେ ୮ ଗ୍ରାମ ପିଛା ୭୨,୫୨୮ ଟଙ୍କା ରହିଛି ।
ଚଳିତ ବର୍ଷ ସୁନା ମୂଲ୍ୟରେ ପ୍ରାୟ ୨୦ ପ୍ରତିଶତ ବୃଦ୍ଧି ଘଟିଛି। ତେବେ ଆମେରିକାର ପ୍ରଖ୍ୟାତ ଆର୍ଥିକ ବିଶ୍ଳେଷଣ ସଂସ୍ଥା ମର୍ଣ୍ଣିଂଷ୍ଟାରର ରଣନୀତିଜ୍ଞ ଜନ୍ ମିଲ୍ସ ଦାବି କରିଛନ୍ତି ଯେ ସୁନାର ମୂଲ୍ୟ ଖୁବ ଶୀଘ୍ର ତଳକୁ ଖସିବ ଏବଂ ଏହାର ଦର ୪୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇ ପ୍ରତି ୧୦ ଗ୍ରାମ ପିଛା ୫୫ ହଜାର ଟଙ୍କା ହୋଇଯିବ।