ଢେଙ୍କାନାଳ: ହାତୀ ଆକ୍ରମଣ ମୃତ୍ୟୁ ମାମଲାରେ କାର୍ଯ୍ୟରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଫରେଷ୍ଟର ଲୁସିମିକା ସିଂହ ଏବଂ ଜଣେ ବନରକ୍ଷୀଙ୍କୁ ଚାକିରୀରୁ ନିଲମ୍ବିତ କରାଯାଇଛି । ଏ ନେଇ ହିନ୍ଦୋଳ ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି । ବନକର୍ମଚାରୀଙ୍କ ଅବହେଳା ଯୋଗୁଁ ଏଭଳି ଏକ ଅଭଟଣ ଘଟିଲା ବୋଲି ଗ୍ରାମବାସୀ ଅଭିଯୋଗ କରି ରାସ୍ତାରୋକ କରିଥିଲେ ।
ଆଜି ସକାଳେ, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ଖଜୁରିଆକଟାରେ ହାତୀ ଆକ୍ରମଣରେ ଦେଢଶୂର ଓ ଭାଇବୋହୂଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଥିଲା । ବାଘଧରିଆ ଗ୍ରାମର ଝୁଲଣ ଦେହୁରୀ ଗୁରୁବାର ସକାଳୁ ଶୌଚ ହେବାପାଇଁ ଘର ପଛପଟ ବିଲକୁ ଯାଇଥିଲେ । ଏହି ସମୟରେ ଏକ ଦାନ୍ତହାତୀ ତାଙ୍କୁ ଆକ୍ରମଣ କରିଥିଲା । ଝୁଲଣଙ୍କ ଚିତ୍କାର ଶୁଣି ଦେଢଶୂର କରୁଣାକର ଦୌଡ଼ି ଆସି ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେ ମଧ୍ୟ ହାତୀ ଆକ୍ରମଣରୁ ବର୍ତ୍ତି ପାରି ନଥିଲେ । ଘଟଣା ସ୍ଥଳରେ ଉଭୟ ଦେଢଶୂର ଓ ଭାଇବୋହୂଙ୍କ ମୃତ୍ୟୁ ହୋଇଥିଲା । ସେହିପରି ଉକ୍ତ ହାତୀଟି କିଛି ଦୂରରେ ଶଶୀ ସାହୁ ନାମକ ଜଣେ ମହିଳାଙ୍କୁ ଆକ୍ରମଣ କରିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ହିନ୍ଦୋଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।
ଏହାକୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଉତ୍ୟକ୍ତ ଗ୍ରାମବାସୀମାନେ ମୃତଦେହକୁ ସତମାଇଲି ଛକରେ ରଖି ରାସ୍ତା ଅବରୋଧ କରିଛନ୍ତି । କ୍ଷତିପୂରଣ ନ ମିଳିବା ପର୍ଯ୍ୟନ୍ତ ରାସ୍ତାରୋକ ହଟିବ ନାହିଁ ବୋଲି ଦାବି କରିଛନ୍ତି । ଫଳରେ ପୁରୁଣା କଟକ-ସମ୍ବଲପୁର ରାସ୍ତାର ଢେଙ୍କାନାଳ-ଅନଗୁଳ ଯିବା ରାସ୍ତାରେ ଗମନାଗମନ ବାଧାପ୍ରାପ୍ତ ହୋଇଛି ।
ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ, ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ସମସ୍ତ ମୃତକଙ୍କ ଆତ୍ମାର ସଦଗତି ନିମନ୍ତେ କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଏହା ସହିତ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ସମସ୍ତ ମୃତକଙ୍କୁ ରାଜ୍ୟ ସରକାରଙ୍କ ତରଫରୁ କ୍ଷତି ପୂରଣ ମିଳିବ ଏବଂ କାର୍ଯ୍ୟରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।