ଭୁବନେଶ୍ୱର: ନବ ନିର୍ମାଣ କୃଷକ ସଂଗଠନ ଦ୍ୱାରା ଦିଆଯାଇଥିବା ଆଠ ଘଣ୍ଟିଆ ବନ୍ଦ ଡାକରା ଶେଷ ହୋଇଛି । ରାଜ୍ୟରେ କେତେ ସ୍ଥାନରେ ବନ୍ଦର ପ୍ରଭାବ ପଡ଼ିଥିବାବେଳେ ଅନ୍ୟ କେତେକ ସ୍ଥାନରେ ଆଂଶିକ ପ୍ରଭାବ ଥିଲା । ସେହିପରି କିଛି ଜିଲ୍ଲାର ସଦର ମହକୁମାରେ କେବଳ ବନ୍ଦ ପାଳନ ହେଉଥିବାବେଳେ ଅନ୍ୟାନ୍ୟ ସ୍ଥାନରେ ଜୀବନଯାତ୍ରା ସ୍ୱାଭାବିକ ଥିଲା । ତେବେ ଆଜିର ଆନ୍ଦୋଳନ ସୁପର୍ ଫ୍ଲପ୍ ହୋଇଛି ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।
ନବ ନିର୍ମାଣ କୃଷକ ସଂଗଠନ ଓଡ଼ିଶା ବନ୍ଦ ଡାକରାକୁ ନେଇ ଏଭଳି କିଛି କହିଛନ୍ତି ଯୋଗାଣ ମନ୍ତ୍ରୀ । ରାଜ୍ୟର କୌଣସି ଜାଗାରେ ବି କୃଷକ ତାଙ୍କ ସହ ବାହାରି ନାହାଁନ୍ତି । ପ୍ରକୃତ କୃଷକ ଆନ୍ଦୋଳନରେ ନାହାଁନ୍ତି। ରାଜରାସ୍ତାକୁ ଚାଷୀ ବାହାରି ନାହାନ୍ତି । ତେଣୁ ନବ ନିର୍ମାଣ କୃଷକ ସଂଗଠନର ବନ୍ଦ ଡାକରା ସୁପର ଫ୍ଲପ୍ ହେଲା। ପ୍ରମାଣ ହେଲା ଯେ ଚାଷୀ ମାନେ ସରକାରଙ୍କ ସହ ଅଛନ୍ତି। ସେମାନେ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି ଯାହା ବିଫଳ ହୋଇଛି।
ମନ୍ତ୍ରୀ ଆହୁରି ସୂଚନା ଦେଇଛନ୍ତି ଯେ ଗତକାଲି ସୁଦ୍ଧା ରାଜ୍ୟରେ ୩୭ ଲକ୍ଷ ୯୧ ହଜାର ୨୨୫ ମେଟ୍ରିକ ଟନ ଧାନ କିଣା ସରିଲାଣି । ୮ ହଜାର କୋଟିରୁ ଅଧିକ ଟଙ୍କା ଚାଷୀଙ୍କ ଖାତାକୁ ଯାଇ ସାରିଲାଣି । କିଛି ଜିଲ୍ଲାରେ ଧାନ କିଣା ସରି ଆସିଲାଣି । ଧାନ କିଣା ସୁରୁଖୁରୁରେ ଚାଲିଥିବା କହିଛନ୍ତି ମନ୍ତ୍ରୀ ।
ସେପେଟେ ଆଜି ବନ୍ଦ ପାଳନ ବେଳେ ଭୁବନେଶ୍ୱରରେ ପ୍ରାୟ ପଚାଶରୁ ଉର୍ଦ୍ଧ୍ୱ ବିକ୍ଷୋଭକାରୀଙ୍କୁ ଉଠାଇ ନେଇଥିଲା । କୃଷକ ନେତାଙ୍କୁ ମଧ୍ୟ ପୋଲିସ ଅଟକ ରଖିଥିଲା । କଟକରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା । ସେହିପରି ଜଗତସିଂହପୁର ସଦମହକୁମାରେ ଦୋକାନ ବଜାର ସବୁ ବନ୍ଦ ରହିଥିଲା । ହେଲେ କଟକ ପାରାଦ୍ଵୀପ ରାଜ୍ୟ ରାଜପଥରେ ଗାଡିମଟର ଚଳାଚଳ ସ୍ବାଭାବକ ଥିଲା। ସରକାରୀ କାର୍ଯ୍ୟାନୁଷ୍ଠାନ, ସ୍କୁଲ,କଲେଜ, ବ୍ୟାଙ୍କ, ପେଟ୍ରୋଲ ପମ୍ପ ସବୁ ଖୋଲାରହିଥିଲା । ସେପଟେ ବାରିପଦାରେ ସହରରେ ବସ ସେବା ସଂପୂର୍ଣ୍ଣ ବନ୍ଦ ରହିଥିବା ବେଳେ ଦୋକାନ ବଜାର, ଗାଡ଼ି ମଟର, ପେଟ୍ରୋଲ ପମ୍ପ ପ୍ରମୁଖ ଖୋଲା ଥିବା ଦେଖିବାକୁ ମିଳିଥିଲା ।