ଭୁବନେଶ୍ୱର: ରାଜ୍ୟସଭା ପାଇଁ ଏକାଠି ହୋଇପାରନ୍ତି ବିଜୁ ଜନତା ଦଳ ଓ କଂଗ୍ରେସ । ବିଜେପି ବିରୁଦ୍ଧରେ ଦୁଇ ବିରୋଧୀ ଦଳ ଏକଠା ହୋଇ ଲଢ଼ିପାରନ୍ତି । ଏଥିପାଇଁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିବା ନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ ।
ଭକ୍ତ ଦାସ ବୁଧବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ଯେ ଦୁଇ ଦଳ ମିଶିଲେ ଗୋଟିଏ ପ୍ରାର୍ଥୀ ଜିତିପାରିବ । ଯଦି ଆମେ ପ୍ରାର୍ଥୀ ଦେବୁ ତାହା ହେଲେ ବିଜେଡ଼ି ସମର୍ଥନ କରି ନ ପାରେ । ସେହିପରି ବିଜେଡ଼ି ପ୍ରାର୍ଥୀ ଦେଲେ କଂଗ୍ରେସ ସମର୍ଥନ କରି ନପାରେ । ତେଣୁ ଦୁଇ ଦଳ ମିଳି ଗୋଟିଏ ପ୍ରାର୍ଥୀ ଦେଲେ ଭଲ ହେବ । ଏ ନେଇ ଆଲୋଚନା କରିବାକୁ ସେ ନବୀନଙ୍କୁ ସମୟ ମାଗିଛନ୍ତି । ଯଦି ନବୀନ ସମୟ ତେବେ ଫେବ୍ରୁଆରୀରେ ଭେଟି ପାରନ୍ତି । ଆଲୋଚନା ପରେ ସ୍ପଷ୍ଟ ହେବ ବୋଲି ଭକ୍ତ କହିଛନ୍ତି ।
ସେପଟେ ଭକ୍ତଙ୍କ ଏଭଳି ମନ୍ତବ୍ୟ ପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଯୋଗାଣ ମନ୍ତ୍ରୀଙ୍କ ବୟାନ ଆଲୋଚନାକୁ ସରଗରମ କରିଦେଇଛି । ରାଜନୀତିରେ କେତେବେଳେ କଣ ଗେମ୍ ହେବ କିଛି କହି ହେବ ନାହିଁ । ଟିକେ ଅପେକ୍ଷା କରନ୍ତୁ । ରାଜନୀତିରେ କିଛି ଅସମ୍ଭବ ନୁହେଁ । ସବୁଆଡ଼େ ଧ୍ୟାନ ଦିଆଯାଉଛି । କିଏ କେତେବେଳେ ଭୋଜି ଭାତ କଲେ ସବୁ ଲକ୍ଷ୍ୟ ରଖାଯାଇଛି । କେଉଁଠି କିଏ କେତେବେଳେ ମେଳି କରୁଛନ୍ତି ତାହାର ନଜର ରଖାଯାଇଛି । ତାଙ୍କ ଦଳ ନେତାଙ୍କ ସହିତ କିଏ ମିଶୁଛନ୍ତି ତାହାର ମଧ୍ୟ ହିସାବ ରହିଛି ।
ଏପ୍ରିଲରେ ଓଡ଼ିଶାର ଚାରୋଟି ରାଜ୍ୟସଭା ଆସନ ଖାଲି ହେଉଛି । ବିଧାନସଭା ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ବିଜେପି ଖାତାକୁ ଦୁଇଟି ଆସନ ଓ ବିଜେଡ଼ି ଖାତାକୁ ତିନୋଟି ଆସନ ଯାଇପାରେ । ତେବେ ଗୋଟିଏ ଆସନ ପାଇଁ ଅଙ୍କ ଛିଡ଼ୁ ନାହିଁ ।